Cricket

ବୋଲିଂ କୋଚ ରହିପାରନ୍ତି ଭାରତ ଅରୁଣ

(ଓଡିଶାସ୍ପୋର୍ଟସ): ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେବା ପରେ ଭାରତୀୟ କୋଚିଂ ଷ୍ଟାଫକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ବିଶେଷକରି ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କୁ ଅଧିକ ସମାଲୋଚନା ହେବାକୁ ପଡିଛି । ଏପରିକି ବିସିସିଆଇ ନୂଆ କୋଚିଂ ଷ୍ଟାପ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି । ତେଣୁ ଏଭଳି ସ୍ଥିତିରେ ଭାରତୀୟ କୋଚିଂ ଷ୍ଟାପରେ କିଏ ରହିବେ ଏବଂ କିଏ ବାଦ ହେବେ,ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।
ଭାରତର ବର୍ତ୍ତମାନ ବୋଲିଂ କେଚ ଭାରତ ଅରୁଣଙ୍କ ରହିବା ଏକ ପ୍ରକାର ନିଶ୍ଚିତ ଲାଗୁଛି । ଫିଲ୍ଡିଂ କୋଚ ଦୌଡରେ ଦକ୍ଷିଣ ଆଫ୍ରିକାର ଜଣ୍ଟି ରୋଡ୍ସଙ୍କ ସମେତ ଅନେକ ଦାବିଦାର ଥିଲେ ହେଁ,ଆର୍ ଶ୍ରୀଧରଙ୍କୁ ଅଗ୍ରଧିକାର ମିଳିବାର ଯଥେଷ୍ଟ ସମ୍ଭାବନା ଅଛି । ଜାତୀୟ ଚୟନକର୍ତ୍ତା ଯେତେବେଳେ ଭାରତୀୟ ଟିମ୍ ପାଇଁ ସହଯୋଗୀ ଷ୍ଟାପ ଚୟନ କରିବେ,ସେତେବେଳେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗରଙ୍କ ଛୁଟି ହୋଇପାରେ । ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଏହି ତିନିଜଣ ସପୋର୍ଟ ଷ୍ଟାପଙ୍କ କାର୍ଯ୍ୟକାଳକୁ ୱେଷ୍ଟଇଣ୍ଡିଜ ଗସ୍ତ ଶେଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
ଏହା ପରେ ନୂଆ ସାକ୍ଷାତକାର ହେବ ଏବଂ ସବୁ ପଦବୀ ପାଇଁ ନିଯୁକ୍ତି କରାଯିବ। କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ନୂଆ କ୍ରିକେଟ୍ ପରାମର୍ଶଦାତା କମିଟି ମୁଖ୍ୟ କୋଚ୍ ଉପରେ ନିଷ୍ପତ୍ତି ନେବେ। ଚୟନକର୍ତ୍ତାଙ୍କୁ ସହଯୋଗୀ ଷ୍ଟାଫଙ୍କ ପାଇଁ ଇଣ୍ଟରଭ୍ୟୁ ନେବାକୁ କୁହାଯାଇଛି। ନିକଟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅରୁଣଙ୍କ ରହିବା ନିଶ୍ଚିତ, କାରଣ ସବୁ ଫର୍ମାଟରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଭଲ ରହିଛି।
ବୋର୍ଡର ଜଣେ ସିନିୟର ଅଧିକାର କହିଛନ୍ତି, ଗତ ୧୮ରୁ ୨୦ ମାସ ହେବ ଅରୁଣ ବହୁତ ଭଲ କାମ କରିଛନ୍ତି। ବର୍ତ୍ତମାନ ଭାରତୀୟ ବୋଲିଂ ଆକ୍ରମଣ ଟେଷ୍ଟ ପାଇଁ ସର୍ବଶ୍ରେଷ୍ଠ। ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରା ଲଗାତାର ଭଲ ପ୍ରଦର୍ଶନ କରିଆସୁଛନ୍ତି, ଯାହାର ଶ୍ରେୟ ସିଧାସଳଖ ଅରୁଣଙ୍କୁ ଦିଆଯିବ। ଚୟନକର୍ତ୍ତାଙ୍କ ପାଇଁ ତାଙ୍କ ସ୍ଥାନରେ ଆଉ କାହାକୁ ନେବା କଷ୍ଟକର ହେବ।
ତେବେ ବାଙ୍ଗରଙ୍କ କ୍ଷେତ୍ରରେ ଏଭଳି କୁହାଯାଇ ନପାରେ। କିଛି ଲୋକଙ୍କ କହିବା ଅନୁଯାୟୀ, ୪ ବର୍ଷ ରହିବା ସତ୍ତେ୍ୱ ବାଙ୍ଗର ଭାରତୀୟ ମଧ୍ୟକ୍ରମକୁ ସୁଧାରିପାରିଲେ ନାହିଁ। ଅଧିକାରୀ ଜଣକ କହିଛନ୍ତି, ବାଙ୍ଗରଙ୍କ ଆସିବା ପୂର୍ବରୁ ମଧ୍ୟ ବିରାଟ୍ କୋହଲି ଓ ରୋହିତ୍ ଶର୍ମା ଭଲ ପ୍ରଦର୍ଶନ କରୁଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ସଫଳତା ପଛରେ ବାଙ୍ଗରଙ୍କ କୌଣସି ଯୋଗଦାନ ନାହିଁ। ତାଙ୍କ କାମ ମଧ୍ୟକ୍ରମକୁ ମଜଭୁତ୍ କରିବାର ଥିଲା ଏବଂ ବିଶ୍ୱକପରେ ଆମେ ଏହି ବିଭାଗରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲୁ।
ତିନି ବିଶେଷଜ୍ଞ କୋଚଙ୍କ ମଧ୍ୟରୁ ଅରୁଣଙ୍କ ସ୍ଥାନ ପକ୍କା ଲାଗୁଛି ଏବଂ ଶ୍ରୀଧର ମଧ୍ୟ ଚୟନକର୍ତ୍ତାଙ୍କ ପସନ୍ଦ ହେବେ। ତେବେ ଶ୍ରୀଧରଙ୍କ ଜଣ୍ଟି ରୋଡ୍ସଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ମିଳିବ। ଅଧିକାରୀ ଜଣକ କହିଛନ୍ତି, ରୋଡ୍ସ ଏକ ବଡ଼ ନାମ ଏବଂ ତାଙ୍କ ଦାବିଦାରକୁ ଅଣଦେଖା କରାଯାଇପାରିବ ନାହିଁ। ତେବେ ଆମକୁ ଟିମର ଏପର୍ୟ୍ୟନ୍ତ ଫିଲ୍ଡିଂ ପ୍ରଦର୍ଶନକୁ ଦେଖିବାକୁ ହେବ।

Related posts

୧ ରନ୍ ଏବଂ ୩ ୱିକେଟ୍… ଆଇପିଏଲ ଡେବ୍ୟୁରେ ପ୍ରଫୁଲ ହିଙ୍ଗଙ୍କ ଘାତକ ବୋଲିଂ…

Odisha Sports Bureau

ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି

Odisha Sports Bureau

ଭାରତୀୟ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ଚେତାବନୀ

Odisha Sports Bureau