ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଶୃଙ୍ଖଳାର ସୋମବାର ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ରେ ଶତକ ହାସଲ କରିଥିବା ଭାରତୀୟ ଯୁବ ତାରକା ଶୁବମନ ଗିଲ୍ ହରାରେ ପାଳି ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କର ୨୪ ବର୍ଷ ତଳର ଏକ କୀର୍ତ୍ତିମାନକୁ ଭାଙ୍ଗି ଦେଇଛନ୍ତି। ଗତ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରେ ବର୍ଷା ବାଧକ ଯୋଗୁଁ ୯୮ ରନ୍ରେ ଅପରାଜିତ ରହି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ପଞ୍ଜାବର ଏହି ଡାହାଣହାତୀ ବ୍ୟାଟର୍ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚ୍ରେ ୯୭ ବଲ୍ରୁ ୧୩୦ ରନ୍ କରିଥିଲେ। ଗିଲ୍ଙ୍କ କ୍ୟାରିୟରର ଏହି ପ୍ରଥମ ଶତକୀୟ ପାଳିରେ ୧୫ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ବ୍ୟକ୍ତିଗତ ୧୩୦ ରନ୍ ହିଁ ଗିଲ୍ଙ୍କୁ କୀର୍ତ୍ତିମାନ ରଚିବାରେ ଯଥେଷ୍ଟ ହୋଇଥିଲା। ସେ ଜିମ୍ବାୱେରେ କୌଣସି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତୀୟ ଭାବେ ସର୍ବାଧିକ ସ୍କୋର୍ ସଂଗ୍ରହ କରିବାର ଗୌରବ ବହନ କରିଥିଲେ। ଏକ୍ଷେତ୍ରରେ ସେ କିଂବଦନ୍ତି ସଚିନ୍ ୧୯୯୮ ରେ ବୁଲାୱାୟୋରେ କରିଥିବା ଅପରାଜିତ ୧୨୭ ରନ୍କୁ ପଛରେ ପକାଇ ଦେଇଥିଲେ। ସଚିନ୍ ମଧ୍ୟ ହରାରେ ସ୍ପୋର୍ଟସ କ୍ଲବ୍ରେ ଶତକ ଜମାଇଥିଲେ। ହରାରେରେ ସେ ୨୦୦୧ରେ ୧୨୪ ରନ୍ର ଅପରାଜିତ ପାଳି ଖେଳିଥିଲେ। ଫଳରେ ସଚିନ୍ ହିଁ ଭାରତୀୟ ବ୍ୟାଟର ଭାବେ ଜିମ୍ବାୱେରେ ୨ଟି ଶତକ ଜମାଇଥିଲା ବେଳେ ଅପରାଜେୟ ରହିଥିଲେ। ଜିମ୍ବାୱେରେ ଅନ୍ୟ ଭାରତୀୟ ବ୍ୟାଟର ଭାବେ ଶତକୀୟ ପାଳି ଖେଳିଥିବା ହାତଗଣତି ତାଲିକାରେ ଅମ୍ବାତି ରାୟୁଡୁ (୧୨୪ଞ୍ଚ, ହରାରେ ୨୦୧୫), ଯୁବରାଜ ସିଂହ (୧୨୦ ରନ୍, ହରାରେ ୨୦୦୫), ଶିଖର ଧାୱନ (୧୧୬ ରନ୍, ୨୦୧୩), ବିରାଟ କୋହଲି (୧୧୫ ରନ୍, ୨୦୧୩), କେଦାର ଯାଦବ (୧୦୫ ରନ୍, ୨୦୧୫), ମହମ୍ମଦ କୈଫ୍ (୧୦୨ ରନ୍, ୨୦୦୫) ଏବଂ କେଏଲ୍ ରାହୁଲ (୧୦୦ ରନ୍, ୨୦୧୬) ସାମିଲ ରହିଛନ୍ତି।
ଜିମ୍ବାୱେ ବିପକ୍ଷରେ ଶତକ ହାସଲ କରିବାରେ ମହମ୍ମଦ କୈଫଙ୍କ ପରେ ଶୁବମନ ଗିଲ୍ ଦ୍ବିତୀୟ ସର୍ବକନିଷ୍ଠ ଭାରତୀୟ ଖେଳାଳି ହୋଇଛନ୍ତି। ୨୧ ବର୍ଷ ୨୮୭ ଦିନ ବୟସରେ କୈଫ୍ ଜିମ୍ବାୱେ ବିପକ୍ଷରେ ସର୍ବକନିଷ୍ଠ ଭାରତୀୟ ଭାବେ ଶତକ ଜମାଇବାର ଗୌରବ ବହନ କରିଥିଲା ବେଳେ ସୋମବାର ୨୨ ବର୍ଷ ୩୪୮ ଦିନ ବୟସରେ ଗିଲ୍ ଶତକୀୟ ସଫଳତା ହାସଲ କରିଛନ୍ତି। ଅନ୍ୟପକ୍ଷରେ ବିଦେଶ ମାଟିରେ ଦିନିକିଆ ଆନ୍ତର୍ଜାତିକ ଶତକ ହାସଲ କରିବାର ସର୍ବକନିଷ୍ଠ ଭାରତୀୟ ଖେଳାଳିଙ୍କ ତାଲିକାରେ ଗିଲ୍ ମଧ୍ୟ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଥିଲା ବେଳେ ବିରାଟ କୋହଲି ଓ ଯୁବରାଜ ସିହଙ୍କ ସ୍ବତନ୍ତ୍ର ତାଲିକାରେ ଯୋଡ଼ି ହୋଇଛନ୍ତି। କେବଳ କୋହଲି ଓ ଯୁବି ହିଁ ୨୩ ବର୍ଷ ବୟସ ପୂର୍ବରୁ ବିଦେଶରେ ଶତକ ଜମାଇଥିଲେ। ଯୁବରାଜ ସିଂହ ଅଷ୍ଟ୍ରେଲିଆରେ ୨୨ ବର୍ଷ ୪୧ ଦିନ ବୟସରେ ଏବଂ କୋହଲି ଇଂଲଣ୍ଡରେ ୨୨ ବର୍ଷ ୩୧୫ ଦିନ ବୟସରେ ଶତକୀୟ ସଫଳତା ହାତେଇଥିଲା ବେଳେ ରୋହିତ ୨୩ ବର୍ଷ ୨୮ ଦିନ ବୟସରେ ଜିମ୍ବାୱେରେ ଶତକ ହାସଲ କରିଥିଲେ। ଏବେ ଏହି ତାଲିକାରେ ଗିଲ୍ ଯୋଡ଼ି ହୋଇଛନ୍ତି।
previous post
next post