ଭାରତ ଏ ଦଳର ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ ଟାଇଟାଲ ଜିତିବାର ସ୍ୱପ୍ନ ଭାଙ୍ଗିଲା । ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର ଓଭରରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚ୍ ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହବିବୁର ରହମାନଙ୍କ ଅର୍ଦ୍ଧଶତକ ଏବଂ ଏସ୍ ଏମ୍ ମହାରବଙ୍କ ୧୮ ବଲ୍ ରେ ଗୋଟିଏ ଚୌକା ଏବଂ ଛଅ ଛକା ସହାୟତାରେ ୪୮ ରନ୍ ର ଅପରାଜିତ ଇନିଂସ ସାହାଯ୍ୟରେ ବାଂଲାଦେଶ ଏ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା ।

ଜବାବରେ ଭାରତର ଆରମ୍ଭ ଭଲ ଥିଲା କିନ୍ତୁ ଶେଷରେ ଦଳ ଲଗାତାର ୱିକେଟ୍ ହରାଇ ଚାଲିଥିଲା । ଶେଷ ବଲ୍ ରେ ଭାରତକୁ ଚାରି ରନ୍ ଆବଶ୍ୟକ ଥିଲା ଏବଂ ହର୍ଷ ଦୁବେ ଏକ ସଟ୍ ମାରିଥିଲେ ଯାହା ଉପରେ ଭାରତ ଦୁଇ ରନ୍ ଚୋରି କରିବାକୁ ଚେଷ୍ଟା କରିଥିଲା । ବାଂଲାଦେଶ ଏ ଦଳ ସହଜରେ ମ୍ୟାଚ୍ ଜିତିଥୁଲା କିନ୍ତୁ ଅଧିନାୟକ ଏବଂ ୱିକେଟକିପର ଆକବର ଅଲି ରନ ଆଉଟ୍ କରିବା ପାଇଁ ବଲକୁ ଷ୍ଟମ୍ପ ଆଡକୁ ଫିଙ୍ଗି ଦେଇଥିଲେ । ବଲଟି ଷ୍ଟମ୍ପକୁ ଛାଡ଼ି ଅଫ୍ ସାଇଡ୍ ଆଡକୁ ଚାଲିଯାଇଥିଲା, ଯାହା ଫଳରେ ହର୍ଷ ଏବଂ ନେହାଲ ୱାଧେରା ତିନି ରନ୍ କରିପାରିଥିଲେ । ଏହିପରି ୨୦ ଓଭର ଶେଷ ହେବା ପରେ ଭାରତର ସ୍କୋର ମଧ୍ୟ ଛଅ ୱିକେଟରେ ୧୯୪ ରନ୍ ହୋଇଗଲା । ବାଂଲାଦେଶ ଅଧିନାୟକଙ୍କ ଭୁଲ ଯୋଗୁଁ ମ୍ୟାଚ୍ ଟାଇ ହୋଇଗଲା ଏବଂ ଫଳାଫଳ ପାଇଁ ସୁପର ଓଭର କରିବାକୁ ପଡିଲା ।

ସୁପର ଓଭରରେ, ଭାରତ ଏ ପ୍ରଥମେ ବ୍ୟାଟିଂ କରିଥିଲା, ଅଧିନାୟକ ଜିତେଶ ଶର୍ମା ପ୍ରଥମେ ଆସିଥିଲେ। ତଥାପି, ସେ ପ୍ରଥମ ବଲ ରେ ବୋଲ୍ଡ ହୋଇଥିଲେ । ଆଶୁତୋଷ ନୂତନ ବ୍ୟାଟସମ୍ୟାନ ଭାବରେ ଆସିଥିଲେ ଏବଂ ସେ ମଧ୍ୟ ଦ୍ୱିତୀୟ ବଲରେ କ୍ୟାଚ ଆଉଟ୍ ହୋଇଥିଲେ । ଫଳସ୍ବରୂପ, ଭାରତ ଏ ସେମାନଙ୍କର ସୁପର ଓଭରରେ ଗୋଟିଏ ବି ରନ କରିପାରି ନ ଥିଲା । ବାଂଲାଦେଶକୁ କେବଳ ଗୋଟିଏ ରନ ଆବଶ୍ୟକ ଥିଲା, କିନ୍ତୁ ସେମାନେ ପ୍ରଥମ ବଲରେ ଏକ ଉଇକେଟ ମଧ୍ୟ ହରାଇଥିଲେ ଯାହା ସୁୟାଶ ଶର୍ମା ନେଇଥିଲେ । ତାଙ୍କର ପରବର୍ତ୍ତୀ ବଲ ୱାଇଡ ଥିଲା, ଯାହା ଫଳରେ ବାଂଲାଦେଶ କେବଳ ଗୋଟିଏ ରନ କରି ମ୍ୟାଚ ଶେଷ କରିଥିଲା ।

