body bilder Weightlifting Wrestling

କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ ‘ଖେଳ ମହାକୁମ୍ଭ’

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ସ୍ତରର ବୃହତ୍ତମ ବେସରକାରୀ କ୍ରୀଡ଼ା ଉତ୍ସବ ‘ଖେଳ ମହାକୁମ୍ଭ’। ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ‘ଇଣ୍ଡିଆସ୍ ବିଗେଷ୍ଟ୍ ସ୍ପୋର୍ଟସ୍ ଫେଷ୍ଟିଭାଲ୍’ ଆସନ୍ତା ଡିସେମ୍ବର ୪, ୫ ଓ ୬ ତାରିଖରେ ଭୁବନେଶ୍ୱର ବରମୁଣ୍ଡାରେ ଅନୁଷ୍ଠିତ ହେବ।

ଏହି ତିନିଦିନିଆ ଜାତୀୟସ୍ତରୀୟ କ୍ରୀଡ଼ା ଉତ୍ସବରେ ବଡି ବିଲ୍ଡିଂ, ପାୱାର ଲିଫ୍ଟିଂ, ବକ୍ସିଂ, ମାଟି କୁସ୍ତି ସମେତ ମୋଟ ୬ଟି ଇଭେଣ୍ଟରେ ପ୍ରତିଯୋଗିତା ହେବ। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨ ହଜାରରୁ ୫ ହଜାର ପ୍ରତିଯୋଗୀ ଏଥିରେ ଭାଗ ନେବାର ଆଶା ରହିଛି। ବିଜେତା ପ୍ରତିଯୋଗୀଙ୍କ ପାଇଁ ମୋଟ ଦେଢ଼ କୋଟି ଟଙ୍କାର ନଗଦ ପୁରସ୍କାର ରାଶି ରଖାଯାଇଥିବା ଆୟୋଜକମାନେ ସୂଚନା ଦେଇଛନ୍ତି।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଇଭେଣ୍ଟର ବ୍ରାଣ୍ଡ ଆମ୍ବାସଡର ତଥା ଅଲିମ୍ପିଆନ୍ ଦୌଡ଼ରାଣୀ ଦୂତୀ ଚାନ୍ଦ କହିଛନ୍ତି ଯେ, ଖେଳାଳିଙ୍କ ମନରେ ଉତ୍ସାହ ବଢ଼ାଇବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଉଦ୍‌ଘାଟନୀ ଦିନ ସକାଳେ ଦୂତୀ ଚାନ୍ଦଙ୍କ ମାରାଥନ୍ ରେସ୍‌ରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପରେ ସକାଳ ୮ଟାରୁ ବିଭିନ୍ନ ବିଭାଗର ପ୍ରତିଯୋଗିତା ଆରମ୍ଭ ହେବ।

ବିଶେଷ ଭାବେ ଧୀରେ ଧୀରେ ଲୋପ ପାଇଯାଉଥିବା ପାରମ୍ପରିକ ମାଟି କୁସ୍ତି ଓ ଦଙ୍ଗଲ ଭଳି କ୍ରୀଡ଼ାକୁ ଏହି ଉତ୍ସବରେ ଅଧିକ ପ୍ରାଧାନ୍ୟ ଦିଆଯିବ। ମାଟି କୁସ୍ତିର ବିଜେତାଙ୍କୁ ‘ଉତ୍କଳ କେଶରୀ’ ଉପାଧିରେ ପୁରସ୍କୃତ କରାଯିବ ବୋଲି ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ୍‌ର ସମ୍ପାଦକ ଦ୍ୱିତ୍ତିକୃଷ୍ଣ ବେହେରା କହିଛନ୍ତି। ଏହି ବୃହତ୍ କ୍ରୀଡ଼ା ଉତ୍ସବରେ ସମସ୍ତଙ୍କୁ ସାମିଲ ହେବା ପାଇଁ ଆୟୋଜକମାନେ ଆହ୍ୱାନ ଦେଇଥିବା ବେଳେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ସହଯୋଗ ମଧ୍ୟ କାମନା କରିଛନ୍ତି।

ଅନ୍ୟପକ୍ଷରେ, ଏହି ପ୍ରତିଯୋଗିତା ପାଇଁ ଅନ୍‌ଲାଇନ୍‌ରେ ପଞ୍ଜିକରଣ ବ୍ୟବସ୍ଥା ରହିଛି। କମ୍ ମୂଲ୍ୟରେ ପ୍ରତିଯୋଗୀମାନେ ପଞ୍ଜିକରଣ କରିପାରିବେ। ଏଥିସହ ଦିବ୍ୟାଙ୍ଗ ପ୍ରତିଯୋଗୀଙ୍କ ପାଇଁ ମାଗଣା ପଞ୍ଜିକରଣର ବ୍ୟବସ୍ଥା କରାଯାଇଛି। ଅଲ୍ ଓଡ଼ିଶା ଜିମ୍ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦିକା ତଥା ଟାଇଟେନ୍ ଟ୍ରାକର ଫାଉଣ୍ଡର ରାମେଶ୍ୱରୀ ନନ୍ଦ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ବୃହତ୍ କ୍ରୀଡ଼ା ଉତ୍ସବ ଆୟୋଜନ ହେଉଥିବାରୁ ‘ଖେଳ ମହାକୁମ୍ଭ’ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Related posts

ବ୍ରିଜ ଭୂଷଣଙ୍କୁ ନାର୍କୋ ଟେଷ୍ଟ ପାଇଁ ଚ୍ୟାଲେଞ୍ଜ କଲେ ରେସଲର ସାକ୍ଷୀ

ଆନ୍ତର୍ଜାତୀୟ ରେସଲର ଦିବ୍ୟା କାକରନ ତାଙ୍କ ପତିଙ୍କ ଠାରୁ ବିଧିବଦ୍ଧ ଭାବେ ଅଲଗା ହୋଇଛନ୍ତ

କୁସ୍ତିଯୋଦ୍ଧାଙ୍କ ପାଇଁ ମୁଜାଫରନଗରରେ ବସିବ ମହାପଞ୍ଚାୟତ; ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ

Odisha Sports Bureau