କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସକୁ ଫେରିଛି କ୍ରିକେଟ୍। ୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସରେ ଟି-୨୦ ଫର୍ମାଟ୍ରେ ଖେଳାଯିବ କ୍ରିକେଟ୍ ପ୍ରତିଯୋଗିତା। ଉଭୟ ପୁରୁଷ ଓ ମହିଳା ବର୍ଗରେ ଅଂଶଗ୍ରହଣ କରିବେ ୬ଟି ଲେଖାଏଁ ଦଳ। ଏଥିପାଇଁ ଯୋଗ୍ୟତା ନିୟମରେ କିଛିଟା ପରିବର୍ତ୍ତନ କରିଛି ଆଇସିସି। ସେପଟେ ମହିଳା ଚମ୍ପିଆନ୍ସ ଟ୍ରଫିଠାରୁ ଆରମ୍ଭ କରି ଟି-୨୦ ବିଶ୍ୱକପ୍ ଓ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ୍ ପର୍ଯ୍ୟନ୍ତ, ଆଗାମୀ ବର୍ଷଗୁଡ଼ିକ ପାଇଁ ଅନେକ ବଡ଼ କ୍ରିକେଟ୍ ଆୟୋଜନ ନେଇ ହୋଇଛି ନିଷ୍ପତ୍ତି।

୨୦୨୮ ଲସ୍ ଆଞ୍ଜେଲ୍ସ ଅଲିମ୍ପିକ୍ସ କ୍ରିକେଟ୍ରେ ମହିଳା ବର୍ଗରେ ଭାରତ, ଗ୍ରେଟ୍ ବ୍ରିଟେନ୍, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ଅବଶିଷ୍ଟ ଦୁଇଟି ସ୍ଥାନ ପାଇଁ ଖେଳାଯିବ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍। ଆୟୋଜକ ଆମେରିକାକୁ ମଧ୍ୟ ଏହି ପର୍ଯ୍ୟାୟ ଦେଇ ଯୋଗ୍ୟତା ହାସଲ କରିବାକୁ ପଡ଼ିବ। ସେହିପରି ପୁରୁଷ ବର୍ଗରେ ଆୟୋଜକ ଆମେରିକା ସହ ଭାରତ, ଗ୍ରେଟ୍ ବ୍ରିଟେନ୍, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଯୋଗ୍ୟତା ହାସଲ କରିଛନ୍ତି। ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ଯୋଗ୍ୟତା ପର୍ଯ୍ୟାୟରୁ ଦଳ ଚୟନ କରାଯିବ।

ଅନ୍ୟପକ୍ଷରେ, ୨୦୨୭ ଫେବୃଆରୀରେ ପ୍ରଥମ ଆଇସିସି ମହିଳା ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୮ ମହିଳା ଟି-୨୦ ବିଶ୍ୱକପ୍ରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ସେପ୍ଟେମ୍ବର ୭ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ପାକିସ୍ତାନରେ ଏହି ପ୍ରତିଯୋଗିତା ଖେଳାଯିବ। ସେହିପରି ୨୦୨୮ ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୨ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। ଏଥିରେ ଖେଳିବେ ୨୦ଟି ଦଳ। ଏହାସହ ୨୦୨୯ ବିଶ୍ୱ ଟେଷ୍ଟ ଚମ୍ପିଆନ୍ସିପ୍ ଫାଇନାଲ୍ ଜୁନ୍ ୮ରୁ ୧୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଖେଳାଯିବ। ଅନ୍ୟପଟେ ୨୦୩୦ ପୁରୁଷ ଟି-୨୦ ବିଶ୍ୱକପ୍କୁ ଜୁଲାଇ-ଅଗଷ୍ଟ ମାସକୁ ଘୁଞ୍ଚାଇ ଦିଆଯାଇଛି। ଇଂଲଣ୍ଡ, ଆୟର୍ଲାଣ୍ଡ ଓ ସ୍କଟଲାଣ୍ଡରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ।

