Cricket

ପୁଅର ଅନୁଭୂତି ସେୟାର କଲେ ବୀରେନ୍ଦ୍ର ସେହୱାଗ

ଅଣ୍ଡର-୧୯ ଏସିଆ କପ୍ ଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଭାରତ ଐତିହାସିକ ବିଜୟ ହାସଲ କରିଛି। ଶେଷ ବଲ୍‌ରେ ଚୌକା ମାରି ମୋହିତ ଉଲୱା ଭାରତକୁ ଟ୍ରଫି ଭେଟି ଦେଇଥିବା ବେଳେ ମ୍ୟାଚ୍‌ର ରୋମାଞ୍ଚକର ମୁହୂର୍ତ୍ତକୁ ମନେ ପକାଇଛନ୍ତି ଭାରତୀୟ ଓପନର୍ ଆର୍ଯ୍ୟବୀର ସେହୱାଗ। ବିଜୟର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ କେତେ ଚିନ୍ତିତ ଥିଲେ ଏବଂ ମନେ ମନେ କିଭଳି ଭଗବାନଙ୍କୁ ସ୍ମରଣ କରୁଥିଲେ, ସେନେଇ ବାପା ତଥା ପୂର୍ବତନ ଭାରତୀୟ କ୍ରିକେଟର୍ ବୀରେନ୍ଦ୍ର ସେହୱାଗଙ୍କୁ କହିଛନ୍ତି। ଏହି ବାର୍ତ୍ତାଳାପର ଭିଡିଓକୁ ବୀରେନ୍ଦ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଆର୍ଯ୍ୟବୀର କହିଛନ୍ତି, ମ୍ୟାଚ୍‌ର ଶେଷ ଆଡ଼କୁ ସେ ପ୍ରାୟ ଏକ ଘଣ୍ଟା ଧରି ପଡ଼ିଆ ବାହାରେ ବସି ‘ସୀତାରାମ, ସୀତାରାମ’ ଜପ କରୁଥିଲେ। ଭାରତ ପରାଜୟ ଆଡ଼କୁ ଗତି କରୁଥିବା ଦେଖି ସେ କୌଣସି ଚମତ୍କାରର ଆଶା ରଖିଥିଲେ। କିନ୍ତୁ ଭାରତୀୟ ବ୍ୟାଟର୍‌ମାନେ ଲଢ଼ୁଆ ବ୍ୟାଟିଂ କରି ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେଇଥିଲେ। ଶେଷ ବଲ୍‌ରେ ଜିତିବା ପାଇଁ ୩ ରନ୍ ଆବଶ୍ୟକ ଥିବା ବେଳେ ବୋଲର୍ ମୋହିତ ଉଲୱାଙ୍କ ଠାରୁ ଏକ ଚୌକା କିମ୍ବା ଛକା ଆଶା କରିଥିଲେ। ଶେଷରେ ମୋହିତ ଚୌକା ମାରିବା ପରେ ସମସ୍ତେ ଖୁସିରେ ଝୁମି ଉଠିଥିଲେ।

ମ୍ୟାଚ୍‌ର ଆଉ ଏକ ମଜାଦାର ଅନୁଭୂତି ମଧ୍ୟ ସେୟାର କରିଛନ୍ତି ଆର୍ଯ୍ୟବୀର। ଆହତ ହେବା ପରେ ଫିଜିଓ ତାଙ୍କୁ ଯାଞ୍ଚ କରିବାକୁ ଆସିଥିଲେ। ସେହି ସମୟରେ ପାକିସ୍ତାନୀ ସମର୍ଥକଙ୍କ ଭର୍ତ୍ତି ଷ୍ଟାଣ୍ଡ୍‌ରୁ ମଧ୍ୟ ‘ସେହୱାଗ, ସେହୱାଗ’ ନାରା ଶୁଣିବାକୁ ମିଳିଥିଲା। ପାକିସ୍ତାନୀ ଦର୍ଶକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରୁଥିବା ଦେଖି ସେ ଖୁସି ହୋଇଥିଲେ।

ଏହି ଫାଇନାଲ୍‌ରେ ଭାରତ ୩୩୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୯ ରନ୍ କରିଥିଲା। ଏଥିସହ ରେକର୍ଡ ନବମ ଥର ପାଇଁ ଅଣ୍ଡର-୧୯ ଏସିଆ କପ୍ ଟାଇଟଲ୍ ଜିତିଥିଲା ଭାରତ। ଏହି ବିଜୟରେ ଆର୍ଯ୍ୟବୀରଙ୍କ ମଧ୍ୟ ବଡ଼ ଯୋଗଦାନ ରହିଥିଲା। ସେ ୬୧ଟି ବଲ୍‌ରୁ ୫୮ ରନ୍ କରିଥିବା ବେଳେ ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ସହ ପ୍ରଥମ ୱିକେଟ୍‌ରେ ୯୫ ରନ୍ ଯୋଡ଼ିଥିଲେ। ଲକ୍ଷ୍ୟ ୮୦ ରନ୍‌ର ଇନିଂସ ଖେଳିଥିଲେ।

କେବଳ ଫାଇନାଲ୍ ନୁହେଁ, ପୂରା ଟୁର୍ଣ୍ଣାମେଣ୍ଟରେ ଆର୍ଯ୍ୟବୀରଙ୍କ ବ୍ୟାଟ୍‌ରୁ ରନ୍ ବର୍ଷା ହୋଇଥିଲା। ୫ଟି ଇନିଂସରୁ ୯୦.୨୫ ହାରରେ ମୋଟ ୩୬୧ ରନ୍ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ସାମିଲ ରହିଛି। ୟୁଏଇ ବିପକ୍ଷରେ ୧୬୦ ରନ୍ ତାଙ୍କର ଶ୍ରେଷ୍ଠ ଇନିଂସ ଥିବା ବେଳେ ଆଫଗାନିସ୍ତାନ ବିପକ୍ଷ ସେମିଫାଇନାଲ୍‌ରେ ମଧ୍ୟ ୫୧ ରନ୍ କରିଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବା ‘ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ପୁରସ୍କାର ମିଳିଥିଲା।

 

View this post on Instagram

 

A post shared by Virrender Sehwag (@virendersehwag)

ପୁଅର ସଫଳତା ଓ ଭାବପ୍ରବଣ ଅନୁଭୂତିକୁ ନେଇ ବୀରେନ୍ଦ୍ର ସେହୱାଗ ମଧ୍ୟ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି। ପୁରସ୍କାର, ରନ୍ ଓ ଟ୍ରଫିଠାରୁ ଏଭଳି ମୁହୂର୍ତ୍ତ ଅଧିକ ମୂଲ୍ୟବାନ ବୋଲି ସେ କହିଛନ୍ତି। ପୁଅ ସବୁବେଳେ ନିଜର ସଫଳତା ସତ୍ତ୍ୱେ ନମ୍ର ରହିବା ସହ ପରିଶ୍ରମ ଓ ପ୍ରତିଭା ବଳରେ ଆହୁରି ଉଚ୍ଚତା ଛୁଅନ୍ତୁ ବୋଲି ସେ କାମନା କରିଛନ୍ତି।

Related posts

ଭାରତ ପାକିସ୍ତାନ ମ୍ୟାଚ ପୁର୍ବରୁ ବଢିଲା ହେଟେଲ-ବିମାନ ଭଡା

Odisha Sports Bureau

ବଡ଼ ବଡ଼ ମ୍ୟାଚ୍‌ରେ କାହିଁକି ବିରାଟଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ବୋଲି କୁହାଯାଏ

ଦିନିକିଆ ବିଶ୍ୱକପ ଲିଷ୍ଟ ଘୋଷଣା କଲା ଆଇସିସି