ଭାରତୀୟ କ୍ରିକେଟ ବୋର୍ଡ ଡିଜିଟାଲ ରାଇଟ୍ସକୁ ଅଲଗା ଅଲଗା ବିକ୍ରି କରିବାର ଯୋଜନା ରହିଛି । ୨୦୨୮ ପର୍ଯ୍ୟନ୍ତ ୫ ବର୍ଷରେ ଟିମ ଇଣ୍ଡିଆର ଘରୋଇ ମ୍ୟାଚ ପାଇଁ ଏହି ଯୋଜନା କରିଛି । ଯାହାଫଳରେ ବିସିସିଆଇ ୮୨୦୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଛି ।ଗତ ୫ ବର୍ଷରେ ଭାରତ ଷ୍ଟାର ଇଣ୍ଡିଆରୁ ୯୪ କୋଟି ୪୦ ଲକ୍ଷ ହାସଲ କରିଛି ।ନୂଆ ସିଜନରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୧ଟି ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ସେଥି ମଧ୍ୟରେ ୫ଟି ଟେଷ୍ଟ, ୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ ରହିଛି । ସେହିପରି ଇଂଲଣ୍ଡ ବିପକ୍ଷରେ ମୋଟ ୧୮ଟି ମ୍ୟାଚ(୧୦ ଟେଷ୍ଟ, ୩ ଦିନିକିଆ ଏବଂ ୫ ଟି-୨୦) ଘରୋଇ ମ୍ୟାଚ ଖେଳିବ ଟିମ ଇଣ୍ଡିଆ ।
ଏହି ପାଞ୍ଚ ବର୍ଷ ସମୟ ମଧ୍ୟରେ ମୋଟ ୨୫ଟି ଟେଷ୍ଟ ମ୍ୟାଚ ସହିତ ୨୭ଟି ଦିନିକିଆ ଏବଂ ୩୬ଟି ଟି-୨୦ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏଥିରେ ଟିଭି ଏବଂ ଡିଜିଟାଲ ମିଡିଆରେ ପ୍ରତି ମ୍ୟାଚ ପାଇଁ ୬୦ କୋଟି ଟଙ୍କା ସାମିଲ ରହିଛି । ଆଇପିଏଲ ସମୟରେ ମିଡିଆ ରାଇଟ୍ସରୁ ବିସିସିଆଇକୁ ୪୮,୩୯୦ କୋଟି ଟଙ୍କା ଆୟ ହୋଇଥିଲା ।
ତେବେ ଏଥର ଟିଭି ଏବଂ ଡିଜିଟାଲ ପ୍ଲାଟଫର୍ମ ପାଇଁ ବୋର୍ଡ ଅଲଗା ଅଲଗା ଭାବରେ ନିଲାମୀ କରିବ ବୋଲି ଜାଣିବାକୁ ମିଳିଛି । ଏହି ନିଲାମୀ ପ୍ରକ୍ରିୟା ଅଇପିଏଲ ଭଳି ଇ-ନିଲାମୀ ଜରିଆରେ କରାଯିବ । ତେବେ ଏ ନେଇ ଜଣେ ପ୍ରସାରକ କହିବା ମୁତାବକ, ବର୍ତ୍ତମାନ କୌଣସି ସଠିକ ଆକଳନ କରିବା ସମ୍ଭବ ନୁହେଁ । କିନ୍ତୁ ଗତ ସିଜନ ଅନୁସାରେ ଡଲାର ଏବଂ ଟଙ୍କାର ଅନୁପାତ ପରିବର୍ତ୍ତନ ହୋଇଯିବ ।
ଭାରତର ଘରୋଇ ମ୍ୟାଚ୍ ପାଇଁ ଡିଜନୀ, ଷ୍ଟାର ରିଲାଏନ୍ସ, ଭାଏକମ୍ ପ୍ରମୁଖ ଦାବିଦାର ରହିଥିବା ବେଳେ ଜି ମଧ୍ୟ ନିଲାମୀରେ ସାମିଲ ହୋଇପାରେ । ୩ ମାସ ପରେ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଯଦି ଏଥିରେ ଭାରତ ନ ଜିତେ ତେବେ ବିଜ୍ଞାପନ ରାଜସ୍ୱ ଉପରେ ପ୍ରଭାବ ପଡିବ ।