୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ଏବେ ତେଜ ହୋଇଛି ବିବାଦ। ଆଇସିସି ପକ୍ଷରୁ ବିଶ୍ୱକପ୍ ଫର୍ମାଟ୍ରେ ପରିବର୍ତ୍ତନ କରାଯିବା ପରେ ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସ। ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପ୍ରକ୍ରିୟା ଚାଲିଥିବା ବେଳେ ହଠାତ୍ ଫର୍ମାଟ୍ ବଦଳାଇବାକୁ ନେଇ ଉଠିଛି ପ୍ରଶ୍ନ।

ନୂଆ ବ୍ୟବସ୍ଥା ଅନୁସାରେ, ଯୋଗ୍ୟତା ପର୍ଯ୍ୟାୟରେ ୧୨, ୧୩ ଓ ୧୪ତମ ସ୍ଥାନରେ ରହିବାକୁ ଥିବା ତିନିଟି ଦଳକୁ ନେଇ ଟ୍ରାଇ-ସିରିଜ୍ ଭଳି ଏକ ପର୍ଯ୍ୟାୟ ଖେଳାଯିବ। ଏହି ତିନି ଦଳ ମଧ୍ୟରୁ କେବଳ ଗୋଟିଏ ଟିମ୍ ମୁଖ୍ୟ ବିଶ୍ୱକପ୍ ପର୍ଯ୍ୟାୟରେ ସ୍ଥାନ ପାଇବ। ଅନ୍ୟ ଦୁଇଟି ଦଳର ବିଶ୍ୱକପ୍ ଯାତ୍ରା ସେଠାରେ ଶେଷ ହୋଇଯିବ। ଏହି ନୂଆ ଫର୍ମାଟ୍କୁ ନେଇ ସବୁଠାରୁ ଅଧିକ ଚିନ୍ତାରେ ରହିଛନ୍ତି ଆସୋସିଏଟ୍ ଦେଶଗୁଡ଼ିକ। ବର୍ଷ ବର୍ଷ ଧରି ବିଶ୍ୱକପ୍ ଖେଳିବା ପାଇଁ ପ୍ରସ୍ତୁତି କରୁଥିବା ଦଳଗୁଡ଼ିକ ପାଇଁ ଯୋଗ୍ୟତା ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ଏଭଳି ପରିବର୍ତ୍ତନ ନୂଆ ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ପ୍ରକାଶ ପାଇଛି।
ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସ ପକ୍ଷରୁ ଆଇସିସି ସହ ଏହି ପ୍ରସଙ୍ଗରେ ଆଲୋଚନା ମଧ୍ୟ କରାଯାଇଛି। ଦୁଇ ଦେଶର କ୍ରିକେଟ୍ ବୋର୍ଡ ଅଧିକ ସ୍ପଷ୍ଟତା ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ଫର୍ମାଟ୍ ବଦଳ ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଇସିସି ପକ୍ଷରୁ ସ୍ପଷ୍ଟ ଲିଖିତ ଜବାବ ମିଳିନାହିଁ। କେବଳ ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସ ନୁହେଁ, ନାମିବିଆ ସମେତ ଅନ୍ୟ ଆସୋସିଏଟ୍ ଦଳର ଖେଳାଳି ଓ ଅଧିନାୟକମାନେ ମଧ୍ୟ ଫର୍ମାଟ୍ ପରିବର୍ତ୍ତନ ନେଇ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏବେ ପ୍ରଶ୍ନ ହେଉଛି—ବିଶ୍ୱକପ୍ ଯୋଗ୍ୟତା ପ୍ରକ୍ରିୟା ମଝିରେ ନିୟମ ବଦଳାଇବା କେତେ ଯୁକ୍ତିଯୁକ୍ତ? ଆସୋସିଏଟ୍ ଦେଶଗୁଡ଼ିକୁ ବିଶ୍ୱକପ୍ରେ ସୁଯୋଗ ଦେବା ନାଁରେ ଏଭଳି ବ୍ୟବସ୍ଥା କ’ଣ ସେମାନଙ୍କ ରାସ୍ତା ଆହୁରି କଷ୍ଟକର କରୁନାହିଁ? ୨୦୨୭ ବିଶ୍ୱକପ୍ ଆରମ୍ଭ ହେବାକୁ ଆହୁରି ସମୟ ଥିବା ବେଳେ ଫର୍ମାଟ୍କୁ ନେଇ ଏଭଳି ବିବାଦ ଆଇସିସି ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି। ଏବେ ନଜର ରହିଛି, ସ୍କଟଲାଣ୍ଡ ଓ ନେଦରଲାଣ୍ଡ୍ସର ଆପତ୍ତି ଉପରେ ଆଇସିସି କ’ଣ ପଦକ୍ଷେପ ନେଉଛି।
