ଏଫଆଇଏଚ୍ ପ୍ରୋ ଲିଗ୍ର ଶେଷ ମ୍ୟାଚ୍ରେ ଭାରତୀୟ ପୁରୁଷ ହକି ଦଳ ରୋମାଞ୍ଚକର ବିଜୟ ହାସଲ କରିଛି। ଲଣ୍ଡନର ଲି ଭ୍ୟାଲି ହକି ଆଣ୍ଡ ଟେନିସ୍ ସେଣ୍ଟରରେ ଖେଳାଯାଇଥିବା ମ୍ୟାଚ୍ରେ ନିର୍ଦ୍ଧାରିତ ୬୦ ମିନିଟ୍ ପର୍ଯ୍ୟନ୍ତ ଉଭୟ ଦଳ ଗୋଲଶୂନ୍ୟ ରହିଥିଲେ। ପରେ ପେନାଲ୍ଟି ସୁଟଆଉଟ୍ରେ ଭାରତ ୩-୨ ଗୋଲରେ ଇଂଲଣ୍ଡକୁ ପରାସ୍ତ କରି ଅଭିଯାନକୁ ବିଜୟ ସହ ଶେଷ କରିଛି। ସୁଟଆଉଟ୍ରେ ଭାରତ ପକ୍ଷରୁ ଅଭିଷେକ, ଶିଳାନନ୍ଦ ଲାକ୍ରା ଏବଂ ହାର୍ଦ୍ଦିକ ସିଂହ ଗୋଲ୍ ସ୍କୋର କରିଥିଲେ। ଦୃଢ଼ ପ୍ରତିରକ୍ଷା ପ୍ରଦର୍ଶନ ପାଇଁ ସଞ୍ଜୟଙ୍କୁ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ପୁରସ୍କାର ମିଳିଥିଲା।

ମ୍ୟାଚ୍ର ଆରମ୍ଭରୁ ଇଂଲଣ୍ଡ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ପ୍ରଥମ କ୍ୱାର୍ଟରରେ ପାଇଥିବା ପେନାଲ୍ଟି କର୍ଣ୍ଣରକୁ ଭାରତୀୟ ଗୋଲକିପର ମୋହିତ ଶଶିକୁମାର ଚମତ୍କାର ସେଭ୍ କରି ଦଳକୁ ବିପଦରୁ ରକ୍ଷା କରିଥିଲେ। ସେ ସମଗ୍ର ମ୍ୟାଚ୍ରେ ଅନେକ ଗୁରୁତ୍ୱପୂର୍ଣ୍ଣ ସେଭ୍ କରି ଇଂଲଣ୍ଡର ଆକ୍ରମଣକୁ ବିଫଳ କରିଥିଲେ। ଅନ୍ୟପଟେ ଅଭିଷେକ ଭାରତ ପାଇଁ ପ୍ରଥମ କ୍ୱାର୍ଟରରେ ଏକ ଭଲ ସୁଯୋଗ ପାଇଥିଲେ, କିନ୍ତୁ ତାହାକୁ ଗୋଲରେ ପରିଣତ କରିପାରିନଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ଇଂଲଣ୍ଡ ଭାରତୀୟ ପ୍ରତିରକ୍ଷା ଉପରେ ଚାପ ଜାରି ରଖିଥିଲା। ତେବେ ଭାରତୀୟ ଡିଫେନ୍ସ ଦୃଢ଼ ପ୍ରଦର୍ଶନ କରି ପ୍ରତ୍ୟେକ ଆକ୍ରମଣକୁ ବିଫଳ କରିଥିଲା। ଏହି ସମୟରେ ଜର୍ମନପ୍ରୀତ ସିଂହଙ୍କ ଜୋରଦାର ସଟ୍କୁ ଇଂଲଣ୍ଡର ଗୋଲକିପର ଉତ୍କୃଷ୍ଟ ସେଭ୍ କରିଥିଲେ। ଫଳରେ ବିରତି ପର୍ଯ୍ୟନ୍ତ ସ୍କୋର ୦-୦ ରହିଥିଲା।
ତୃତୀୟ କ୍ୱାର୍ଟରରେ ଭାରତ ଅଧିକ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲା। ଅଧିନାୟକ ହାର୍ଦ୍ଦିକ ସିଂହଙ୍କ ଚମତ୍କାର ରନ୍ରୁ ମନଦୀପ ସିଂହ ଏକ ସୁଯୋଗ ପାଇଥିଲେ, କିନ୍ତୁ ଇଂଲଣ୍ଡର ଗୋଲକିପର ପୁଣି ଥରେ ସେଭ୍ କରିଥିଲେ। ୩୭ତମ ମିନିଟ୍ରେ ଭାରତ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ତାହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା। ଶେଷ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟରେ କୌଣସି ଦଳ ଗୋଲ କରିପାରିନଥିବାରୁ ମ୍ୟାଚ୍ର ନିଷ୍ପତ୍ତି ପେନାଲ୍ଟି ସୁଟଆଉଟ୍ରେ ହୋଇଥିଲା, ଯେଉଁଠାରେ ଭାରତ ୩-୨ରେ ବିଜୟୀ ହୋଇଥିଲା।
