ନୂଆଦିଲ୍ଲୀ: ଗତବର୍ଷଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଆହୁରି ଖରାପ ହୋଇଛି। ରାଜନୈତିକ ଏବଂ ସାମରିକ ସଂଘର୍ଷ କ୍ରୀଡାକୁ ମଧ୍ୟ ପ୍ରଭାବିତ କରିଛି। କ୍ରିକେଟ୍ କ୍ଷେତ୍ରରେ ପରିସ୍ଥିତି ଏବେ ବିଶେଷ ଗମ୍ଭୀର ହୋଇଛି। ICC କିମ୍ବା ACC ଟୁର୍ଣ୍ଣାମେଣ୍ଟ ପାଇଁ ପରସ୍ପରର ଦେଶ ଗସ୍ତ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ, “ନୋ ହ୍ୟାଣ୍ଡସେକ୍” ବିବାଦ ଏବେ ମୁଣ୍ଡ ଉଠାଇଛି।
ଏପରିସ୍ଥିତିରେ ସାଉଦି ଆରବର ଜେଦ୍ଦାରେ ଆୟୋଜିତ World Cricket Festival ର ଏକ ଡବଲ୍ ୱିକେଟ୍ ମ୍ୟାଚ୍ ପରେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ପଠାନ ଓ ଷ୍ଟୁଆର୍ଟ ବିନ୍ନି ପାକିସ୍ତାନୀ ଖେଳାଳି ସୋଏବ ମାଲିକଙ୍କ ସହ ହାତ ମିଳାଇ ଆଲିଙ୍ଗନ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ଓଭରରେ ୫୬ ରନ କରିଥିଲା। ଜବାବରେ ଭାରତ ୫୧ ରନରେ ସୀମିତ ରହିଥିଲା ଓ ପାକିସ୍ତାନ ୫ ରନରେ ଜିତିଥିଲା। କିନ୍ତୁ ମ୍ୟାଚ୍ ଫଳାଫଳ ଠାରୁ ଅଧିକ ଆଲୋଚନା ହେଉଛି ଖେଳ ପରେ ଖେଳାଳିମାନଙ୍କ ଆଚରଣକୁ ନେଇ। ତେବେ ଗତ ବର୍ଷର ଇଭେଣ୍ଟ ପରେ ଏହା ପ୍ରଥମ ଥର ଥିଲା, ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ ଖେଳାଳିମାନେ ହାତ ମିଳାଇଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ପାକିସ୍ତାନୀ ବ୍ୟବହାରକାରୀମାନେ ଏଥିପାଇଁ ଇରଫାନଙ୍କୁ ଟ୍ରୋଲ କରିଥିଲେ। ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ “ନୋ-ହ୍ୟାଣ୍ଡସେକ୍” ନୀତିକୁ ନେଇ ପୁଣିଥରେ ବିବାଦ ତେଜିଛି।
