ଆଗାମୀ ଆଇପିଏଲ୍ ୨୦୨୭ ସିଜନ୍ ପାଇଁ ନୂଆ କୋଚିଂ ଟିମ୍ ଘୋଷଣା କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳର ମୁଖ୍ୟ କୋଚ୍ କିରନ୍ ପୋଲାର୍ଡଙ୍କ ନେତୃତ୍ୱରେ ଏହି ନୂଆ କୋଚିଂ ଷ୍ଟାଫ୍ ଗଠନ କରାଯାଇଛି। ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର୍ ରବିନ୍ ଉଥାପା, ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ମିଚେଲ୍ ମ୍ୟାକକ୍ଲେନାଘାନ୍, ଟି. ଦିଲୀପ ଏବଂ ଧୱଲ କୁଲକର୍ଣ୍ଣୀ ସାମିଲ ହୋଇଛନ୍ତି।
ନୂଆ ନିଯୁକ୍ତି ଅନୁସାରେ, ରବିନ୍ ଉଥାପା ବ୍ୟାଟିଂ କୋଚ୍ ଦାୟିତ୍ୱ ତୁଲାଇବେ। ସେହିପରି ମିଚେଲ୍ ମ୍ୟାକକ୍ଲେନାଘାନ୍ଙ୍କୁ ବୋଲିଂ କୋଚ୍ ଏବଂ ଟି. ଦିଲୀପଙ୍କୁ ଫିଲ୍ଡିଂ କୋଚ୍ ଭାବେ ନିଯୁକ୍ତି ମିଳିଛି। ଅନ୍ୟପଟେ ଧୱଲ କୁଲକର୍ଣ୍ଣୀ ଡେଭଲପମେଣ୍ଟ ବୋଲିଂ କୋଚ୍ ଭାବେ କାର୍ଯ୍ୟ କରିବେ। ସେ ବର୍ଷସାରା ଯୁବ ଭାରତୀୟ ବୋଲରଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବେ।

ଉଲ୍ଲେଖଯୋଗ୍ୟ, ଉଥାପା, ମ୍ୟାକକ୍ଲେନାଘାନ୍ ଏବଂ କୁଲକର୍ଣ୍ଣୀ ପୂର୍ବରୁ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିସାରିଛନ୍ତି। ତେଣୁ ଦଳର ପରିବେଶ ଓ ଖେଳିବାର ଶୈଳୀ ସହ ସେମାନେ ବେଶ୍ ପରିଚିତ। ଏହି ନୂଆ କୋଚିଂ ଟିମ୍ ଦଳର ବିଜୟୀ ମାନସିକତାକୁ ଆହୁରି ମଜବୁତ୍ କରିବା ସହ ଯୁବ ପ୍ରତିଭାଙ୍କୁ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା ରଖିଛି ଫ୍ରାଞ୍ଚାଇଜି। ଆଗାମୀ ସିଜନ୍ ପାଇଁ ଖେଳାଳିଙ୍କୁ ଉଚ୍ଚମାନର ପ୍ରଶିକ୍ଷଣ ଓ ପ୍ରସ୍ତୁତି ଯୋଗାଇଦେବା ସହ ଏକ ଉତ୍ତମ ପ୍ରଦର୍ଶନ ପରିବେଶ ସୃଷ୍ଟି କରିବା ଏହି ନୂଆ କୋଚିଂ ଟିମ୍ର ମୁଖ୍ୟ ଲକ୍ଷ୍ୟ ରହିବ।
