ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସରେ ପଦକ ହାସଲ ଲକ୍ଷ୍ୟରେ ରିଙ୍ଗକୁ ଓହ୍ଲାଇବେ ଭାରତୀୟ ମୁଷ୍ଟିଯୋଦ୍ଧା। ଏଥିପାଇଁ ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ବିଶ୍ୱ ଚାମ୍ପିୟନ ତଥା ବିଶ୍ୱର ଏକ ନମ୍ବର ମୁଷ୍ଟିଯୋଦ୍ଧା ମୀନାକ୍ଷୀ ହୁଡ୍ଡା ଓ ବିଶ୍ୱ ବକ୍ସିଂ କପ୍ର ସ୍ୱର୍ଣ୍ଣ ପଦକ ବିଜୟିନୀ ଜ୍ୟୋତି ଗୁଲିଆ ଦଳର ପ୍ରମୁଖ ଆକର୍ଷଣ ରହିବେ। ଉଜ୍ବେକିସ୍ତାନର ରାଜଧାନୀ ତାସକେଣ୍ଟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।
ଘୋଷିତ ଦଳରେ ୮ ଜଣ ପୁରୁଷ ଓ ୯ ଜଣ ମହିଳା ଖେଳାଳି ସ୍ଥାନ ପାଇଛନ୍ତି। ୫୧ କିଲୋଗ୍ରାମ ବର୍ଗରେ ମୀନାକ୍ଷୀ ହୁଡ୍ଡା ଇଟାଲୀର ମାର୍ଟିନା ଭାସାଲୋଙ୍କ ସହ ମୁକାବିଲା କରିବେ। ସେହିପରି ୪୮ କିଲୋଗ୍ରାମ ବର୍ଗରେ ଜ୍ୟୋତି ଗୁଲିଆ ଥାଇଲାଣ୍ଡର ଥିପସାଚା ୟୋଡୱାରୀଙ୍କୁ ଭେଟିବେ। ଉଭୟଙ୍କଠାରୁ ଭଲ ପ୍ରଦର୍ଶନ ସହ ପଦକ ଆଶା ରଖିଛି ଭାରତ।
ମହିଳା ବର୍ଗରେ ପୁନମ୍, ପ୍ରାଚୀ, ସନେହ, ଗିତିମୋନି ଗୋଗୋଇ, ନୈନା, ଅଲଫିଆ ପଠାନ ଓ ଥୋକଚୋମ୍ ଏସ୍. ଚାନୁ ଭାରତର ପ୍ରତିନିଧିତ୍ୱ କରିବେ। ଚାନୁଙ୍କୁ ପ୍ରଥମ ରାଉଣ୍ଡରେ ବାଏ ମିଳିଥିବାରୁ ସେ ସିଧାସଳଖ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ। ଅନ୍ୟପଟେ ପୁରୁଷ ବର୍ଗରେ ଋଷି ସିଂହ, ନିଖିଲ, ଅନମୋଲ, ମାଲସାୱମ୍ଲୁଆଙ୍ଗା, ଜୁଗ୍ନୁ, ସାୱନ ଗିଲ୍, ହର୍ଷ ଚୌଧୁରୀ ଓ ଆକାଶ ରିଙ୍ଗକୁ ଓହ୍ଲାଇବେ। ହର୍ଷ ସିଧାସଳଖ ସେମିଫାଇନାଲ୍ରେ ଖେଳିବାକୁ ଥିବାବେଳେ ଆକାଶଙ୍କୁ ପରବର୍ତ୍ତୀ ରାଉଣ୍ଡ ପାଇଁ ବାଏ ମିଳିଛି।
ଅନ୍ତର୍ଜାତୀୟ ମଞ୍ଚରେ ନିଜ ଦକ୍ଷତା ପ୍ରଦର୍ଶନ କରିବାକୁ ଭାରତୀୟ ଖେଳାଳିଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ବିଶେଷକରି ମୀନାକ୍ଷୀ ଓ ଜ୍ୟୋତିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏହି ପ୍ରତିଯୋଗିତାରେ ଭାରତ କେତେ ପଦକ ଜିତିବ, ତାହା ଆଗାମୀ ମ୍ୟାଚ୍ଗୁଡ଼ିକର ଫଳାଫଳରୁ ସ୍ପଷ୍ଟ ହେବ।
