Cricket

କ୍ରିକେଟ ପ୍ରେମୀଙ୍କୁ ମାଡ଼, ବଡ ବଡ଼ିଆଙ୍କୁ ନକଲି ପାସ୍

ଭୁବନେଶ୍ୱର: ଧିରେ ଧିରେ ଖୋଲୁଛି ନକଲି ପାସ ଗୁମର । ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ କାରବାର ପଛର ସତ ବାହାରକୁ ଆସିବାରେ ଲାଗିଛି । ନକଲି ଟିକେଟରେ ଷ୍ଟାଡିୟମକୁ ପଶିବା ଘଟଣା ସାମନାକୁ ଆସିବା ପରେ ବଢୁଛି ବାଦବିବାଦ। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର ।ସେ କହିଛନ୍ତି, ଅଭିଯୋଗ ହେଲେ ତଦନ୍ତ କରିବୁ । ପୋଲିସ ନୁହେଁ ଓସିଏ ଇସ୍ୟୁ କରିଥିଲା ପାସ୍ ।

ଭାରତ-ଦକ୍ଷିଣ ଆଫ୍ରିକା ବାରବାଟୀ ଟି-୨୦ରେ ନକଲି ପାସ୍ ନେଇ ମାଳମାଳ ଲୋକ ଷ୍ଟାଡିୟମ୍ ଭିତରେ ପଶି ପଡିଆରେ ବୁଲୁଥିଲେ । ହାଇସିକ୍ୟୁରିଟି ଜୋନକୁ ଯାଇ ଫଟୋ ମଧ୍ୟ ଉଠାଉଥିଲେ ଆଉ ସୋସିଆଲ ମିଡିଆରେ ଅପଲୋଡ୍ ବି କରୁଥିଲେ । ତେବେ ଥରେ ଭଲ କରି ଦେଖନ୍ତୁ ଏହି ନକଲି ପାସକୁ, ଏହି ନକଲି ପାସ ଗୁଡିକ ଦେଖିବାକୁ ଠିକ ଅସଲି ପାସ୍ ଭଳି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ଫଟୋ ରହିଛି । ପାସ୍ ଉପରେ ବ୍ୟକ୍ତିଙ୍କ ପରିଚୟ ରହିଛି ଆଉ ବେକରେ ଓସିଏ ଫିତା ବି ରହିଛି । ହେଲେ କାହାର ପରିଚୟ ‘ଏମଏଲଏ କ୍ରିଉ’ ତ ଆଉ କାହାର ପରିଚୟ ‘ବିଜେଡି ଭଲ୍ୟୁଂଟିଅର’ ବୋଲି ଲେଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏମଏଲଏ କ୍ରିଉ’ ଲେଖାଥିବା ନକଲି ପାସରେ ଗଣମାଧ୍ୟମ ରିପୋର୍ଟର ଅବା କ୍ୟାମେରାମ୍ୟାନ୍ ଆଦି ଡ୍ୟୁଟି ଲେଖାଯାଇଛି । ଏପରି ହଜାରେରୁ ଅଧିକ ନକଲି ପାସ୍ ନେଇ ଅତି ସହଜରେ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିଥିଲେ । ଏମାନଙ୍କ ମଧ୍ୟରୁ ଅନେକ ନିଜ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି ।

ଏଠି ପ୍ରଶ୍ନ ଉଠୁଛି କିଏ ଏହି କେଳେଙ୍କାରୀରେ ସାମିଲ ? କାହିଁକି ଖଣ୍ଡିଏ ଟିକେଟ୍ ପାଇଁ ନିରାଶ ହେଲେ କ୍ରୀଡ଼ାପ୍ରେମୀ ? । ଅନ୍ୟପକ୍ଷେ, ବାରବାଟୀରେ ଟିକେଟ ନେବା ପାଇଁ ଧାଡି ଲଗାଇଥିବା କ୍ରିକେଟପ୍ରେମୀଙ୍କ ଉପରେ ଆଖିବୁଜା ଲାଠିଚାର୍ଜ କରିଥିଲା ପୋଲିସ । ହେଲେ ମାଳମାଳ ନକଲି ପାସଧାରୀଙ୍କୁ ଧରିପାରିଲାନି କେମିତି? ନକଲି ପାସ୍ ସଂପର୍କରେ କେମିତି ଜାଣିପାରିଲେନି ଓସିଏ କର୍ତୃପକ୍ଷ ? ଏତେ କଡ଼ା ବ୍ୟବସ୍ଥା ସତ୍ତ୍ୱେ ଷ୍ଟାଡିୟମର ସବୁ ଗେଟ୍ ଦେଇ କେମିତି ପଶିଲେ ନକଲି ପାସଧାରୀ ? ବାରବାଟୀ ଷ୍ଟାଡିୟମର ସିଟ୍ ସଂଖ୍ୟା ୪୪ ହଜାରରୁ ଅଧିକ । ଏଥିରୁ ପ୍ରାୟ ୨୫ ହଜାର ଟିକେଟ୍ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ବିକ୍ରି କରାଯାଇଥିବା ବେଳେ କୁଆଡ଼େ ଗଲା ବଳକା ଟିକେଟ । କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି ଏହି ନକଲି ପାସ କେଳେଙ୍କାରୀର ଚେର ? ଏହା ପଛରେ କାହାର ରହିଛି ହାତ ?

Related posts

ରାଜକୋଟରେ ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ, ଟସ୍ ଜିତି ନ୍ୟୁଜିଲାଣ୍ଡର ଫିଲ୍ଡିଂ ନିଷ୍ପତ୍ତି

Odisha Sports Bureau

ଏସିଆ କପ ମ୍ୟାଚ୍ ଦେଖିବାକୁ ବିସିସିଆଇ ସଚିବଙ୍କୁ ନିମନ୍ତ୍ରଣ କଲା ପାକିସ୍ତାନ

Odisha Sports Bureau

ଘରୋଇ ପ୍ରତିଯୋଗିତା ଗୁଡ଼ିକର ପୁରସ୍କାର ରାଶି ବୃଦ୍ଧି କଲା ବିସିସିଆଇ

Odisha Sports Bureau