ନୂଆଦିଲ୍ଲୀ : ପୁଣି ବିଶ୍ୱ ଦେଖିବ ମହାମୁକାବିଲା | ସମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ| ଏସିଆ କପର ପ୍ରତିଶୋଧ ବିଶ୍ୱକପରେ ନେବ ଟିମ୍ ଇଣ୍ଡିଆ । କାରଣ ଅକ୍ଟୋବର ୨୩ ତାରିଖରେ ଟି-୨୦ ବିଶ୍ୱକପରେ ମେଲବୋର୍ଣ୍ଣ ମୈଦାନରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚ୍ ଉପରେ ଏବେ ପୂରା ବିଶ୍ୱର ନଜର ରହିଛି । ଗତ ଟି-୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା ଟିମ୍ ଇଣ୍ଡିଆ । ତେଣୁ ଏଥର ପାକିସ୍ତାନକୁ ଅଷ୍ଟ୍ରେଲିଆ ମାଟିରେ ମୁହଁତୋଡ ଜବାବ ଦେବାକୁ ପୂରା ପ୍ରସ୍ତୁତ ରୋହିତ ବାହିନୀ ।ଟି-୨୦ ବିଶ୍ୱକପ୍ ପାଇଁ ଭାରତ ନିଜର ୧୫ ଜଣିଆ ଟିମ୍ ଘୋଷଣା କରିଛି । ରୋହିତଙ୍କ ଅଧିନାୟକତ୍ୱରେ ଟି-୨୦ ବିଶ୍ୱକପ୍ ଟ୍ରଫି ପାଇଁ ମୈଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଫେରିଛନ୍ତି ଭରସାଯୋଗ୍ୟ ବୋଲର ଯଶପ୍ରୀତ୍ ବୁମରା । ସେହିଭଳି ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ, ଦୀପକ ହୁଡା, ଅର୍ଶଦୀପ ସିଂ, ଅକ୍ଷର ପଟେଲ, ଦିନେଶ କାର୍ତ୍ତିକଙ୍କୁ ବିଶ୍ୱକପ ଟିମରେ ସ୍ଥାନ ମିଳିଛି ।
ଗତ ଟି-୨୦ ବିଶ୍ୱକପ୍ ଟିମରୁ ୬ ଜଣ ବାଦ୍ ପଡିଛନ୍ତି । ଯେଉଁମାନଙ୍କ ମଧ୍ୟରେ ଇଶାନ କିଷାନ, ମହମ୍ମଦ ସାମିଙ୍କ ଭଳି ବଡ ଚେହେରା ରହିଛନ୍ତି । ସାମିଙ୍କୁ ଷ୍ଟାଣ୍ଡବାଏ ଖେଳାଳୀ ଭାବେ ରଖାଯାଇଥିବା ବେଳେ ଜାଡେଜା ଆହତ କାରଣରୁ ଟି-୨୦ ବିଶ୍ୱକପ ଦଳରୁ ବାଦ୍ ପଡିଛନ୍ତି । ତେବେ ଟିମ୍ ମ୍ୟାନେଜମେଣ୍ଟ ଅନୁଭବୀ ଅଶ୍ୱିନୀଙ୍କ ଉପରେ ପୁଣି ଭରସା କରିଛି । ଟି-୨୦ ବିଶ୍ୱକପକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ଏହାପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ଖେଳିବ ଟିମ୍ ଇଣ୍ଡିଆ ।
ଯାହା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇପାରେ । ଏହାଛଡା ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଟିମ୍ ଇଣ୍ଡିଆ ପାଇଁ ଶୁଭ ସଂକେତ । ଏସିଆ କପରେ ବିରାଟ ଦୁଇଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିବା ସହ ପୁଣିଥରେ ପୁରୁଣା ଲୟକୁ ଫେରିଛନ୍ତି । ତେଣୁ ଆଗାମୀ ବିଶ୍ୱକପରେ ଭାରତ ପାଇଁ କୋହଲି ସଙ୍କଟମୋଚକ ସାଜିବେ ବୋଲି ପ୍ରଶଂସକ ମାନେ ଆଶା ବାନ୍ଧି ବସିଛନ୍ତି ।