Uncategorized

ଅନ୍ୟ ରାଜ୍ୟରୁ ଓଡ଼ିଶାର ଶିଶୁଙ୍କୁ ଖୋଜିବ ପୋଲିସ, ଆରମ୍ଭ ‘ଅପରେସନ୍ ଅନ୍ୱେଷଣ’

ଅନ୍ୟ ରାଜ୍ୟରେ ନିଖୋଜ, ଅସୁରକ୍ଷିତ, ଶୋଷଣର ଶିକାର କିମ୍ବା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଓଡ଼ିଶାର ପିଲାଙ୍କୁ ଚିହ୍ନଟ ଓ ଉଦ୍ଧାର ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ ‘ଅପରେସନ୍ ଅନ୍ୱେଷଣ’। ଡିଜିପି ଶ୍ରୀ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ ଚାଲିବ। କେନ୍ଦ୍ରାଞ୍ଚଳ ଆଇଜି ଡକ୍ଟର ସତ୍ୟଜିତ ନାୟକ ଏହାର ତଦାରଖ ଓ ନିୟମିତ ସମୀକ୍ଷା କରିବେ। ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଓ ରାଜସ୍ଥାନରେ କେନ୍ଦ୍ରାଞ୍ଚଳ ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ଫିଲ୍ଡ ଅପରେସନ୍ କରିବେ। ନୂଆଦିଲ୍ଲୀ ଟିମ୍‌ରେ କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ପୋଲିସ କର୍ମଚାରୀ ରହିବେ। ରାଜସ୍ଥାନ ଟିମ୍‌ରେ ଯାଜପୁର, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ IAHTUର କର୍ମଚାରୀ ସାମିଲ ହେବେ। ଉଭୟ ଟିମ୍‌ର ନେତୃତ୍ୱ ଡିଏସ୍‌ପି ରାଙ୍କର ଅଧିକାରୀ ନେବେ।

ଏହି ଟିମ୍‌ଗୁଡ଼ିକ ଗନ୍ତବ୍ୟ ରାଜ୍ୟର ପୋଲିସ, ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ୱେଲଫେୟାର କମିଟି ଏବଂ ଅନ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ କରିବେ। ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁସନ୍‌ଗୁଡ଼ିକର ରେକର୍ଡ ଯାଞ୍ଚ ସହ ‘ମିଶନ୍ ବାତ୍ସଲ୍ୟ’ ପୋର୍ଟାଲର ତଥ୍ୟ ଆଧାରରେ ଓଡ଼ିଶାର ଶିଶୁଙ୍କୁ ଚିହ୍ନଟ ଓ ଯାଞ୍ଚ କରାଯିବ। ଚିହ୍ନଟ ହୋଇଥିବା ଶିଶୁଙ୍କୁ ନିୟମ ଅନୁସାରେ ସୁରକ୍ଷିତ ଭାବେ ପରିବାରକୁ ଫେରାଇବା କିମ୍ବା ଆବଶ୍ୟକ ପୁନର୍ବାସ ବ୍ୟବସ୍ଥା କରାଯିବ। ଏଥିସହ ନୂଆଦିଲ୍ଲୀ ଓ ରାଜସ୍ଥାନର ଓଡ଼ିଆ ସଂଗଠନ ଏବଂ ସମୁଦାୟ ପ୍ରତିନିଧିଙ୍କ ସହଯୋଗ ନିଆଯିବ। ନିଖୋଜ କିମ୍ବା ଅସୁରକ୍ଷିତ ଶିଶୁଙ୍କ ସମ୍ପର୍କରେ ମିଳୁଥିବା ସୂଚନାକୁ ଆଧାର କରି ପୋଲିସ ଆବଶ୍ୟକ ପଦକ୍ଷେପ ନେବ। ଶିଶୁ ଶ୍ରମ ଓ ଶୋଷଣ ରୋକିବା ପାଇଁ ଶ୍ରମ ଅଧିକାରୀ, DCPO ଓ IAHTU ସହଯୋଗରେ ଶ୍ରମ ସ୍ଥଳ ଏବଂ ଶ୍ରମିକ କଲୋନୀରେ ମଧ୍ୟ ଯାଞ୍ଚ କରାଯିବ। ମାନବ ଚାଲାଣ, ଶୋଷଣ କିମ୍ବା ଅନ୍ୟ ଅତ୍ୟାଚାରର ଶିକାର ଶିଶୁଙ୍କୁ ଚିହ୍ନଟ ଉପରେ ବିଶେଷ ଗୁରୁତ୍ୱ ରହିବ।  ଅଭିଯାନ ସମୟରେ ପ୍ରତିଦିନର ସୂଚନା ଓ ଫିଲ୍ଡ ଡାଟା ସଂଗ୍ରହ କରାଯିବ। ଟିମ୍‌ ଲିଡରମାନେ CAW & CW ୱିଙ୍ଗ ସହ ସମନ୍ୱୟ କରି ମିଳୁଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବେ। ଆଇଜି କେନ୍ଦ୍ରାଞ୍ଚଳ ଡକ୍ଟର ସତ୍ୟଜିତ ନାୟକ ଅଭିଯାନର ପ୍ରଗତି, ଚିହ୍ନଟ ହୋଇଥିବା ଶିଶୁଙ୍କ ସଂଖ୍ୟା, ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଉପରେ ନିୟମିତ ନଜର ରଖିବେ। ଆବଶ୍ୟକ ସ୍ଥଳେ ଅନ୍ତଃରାଜ୍ୟ ସମନ୍ୱୟ ପାଇଁ ଅତିରିକ୍ତ ପଦକ୍ଷେପ ନିଆଯିବ। କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲା ପୋଲିସ ୟୁନିଟ୍‌କୁ ଅଭିଯାନକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମ୍ପୃକ୍ତ ନିଖୋଜ ଶିଶୁ ମାମଲା, ପୃଷ୍ଠଭୂମି ତଥ୍ୟ ଓ ଅନ୍ୟ ଆବଶ୍ୟକ ସୂଚନା ଟିମ୍‌ଗୁଡ଼ିକୁ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

‘ଅପରେସନ୍ ଅନ୍ୱେଷଣ’ର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟ ବାହାରେ ଥିବା ଓଡ଼ିଶାର ନିଖୋଜ, ଅସୁରକ୍ଷିତ ଓ ଶୋଷଣର ଶିକାର ଶିଶୁଙ୍କୁ ଚିହ୍ନଟ କରି ସୁରକ୍ଷିତ ଭାବେ ଫେରାଇ ଆଣିବା। ଏହା ସହ ଅନ୍ତଃରାଜ୍ୟ ପୋଲିସ ସମନ୍ୱୟ, ସୂଚନା ଆଦାନପ୍ରଦାନ ଓ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ପୋଲିସ କହିଛି ଯେ, କୌଣସି ଅସୁରକ୍ଷିତ ଶିଶୁ ଯେପରି ନିଖୋଜ ହୋଇ ରହିନଯାଏ, ସେଥିପାଇଁ ପ୍ରତ୍ୟେକ ସମ୍ଭାବ୍ୟ ସୂତ୍ରରେ ତଦନ୍ତ କରାଯିବ ଏବଂ ଆଇନ ଅନୁସାରେ ଶିଶୁଙ୍କ ସୁରକ୍ଷା, ପୁନର୍ବାସ ଓ ପରିବାରକୁ ଫେରାଇବା ପାଇଁ ସମସ୍ତ ପ୍ରୟାସ କରାଯିବ।

Related posts

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

Odisha Sports Bureau

ବିଶ୍ବ ଜାଭଲିନ୍‌ ଥ୍ରୋ ମାନ୍ୟତାରେ ନଂ ୱାନ୍‌କୁ ଉନ୍ନୀତ ହେଲେ ଅଲିମ୍ପିକ୍‌ ଚାମ୍ପିଅନ୍‌ ନୀରଜ ଚୋପ୍ରା

ଅର୍ଦ୍ଧ ଶତକ ହାସଲ କରି ସ୍ଥିତି ସୁଦୃଢ଼ ରଖିଛନ୍ତି ଶାନ୍ତୋ ଓ ହସନ୍

Odisha Sports Bureau