Cricket

ବାରବାଟୀକୁ ଫେରିବ ଆନ୍ତର୍ଜାତିକ ଦିନିକିଆ, ଦିନିକିଆ ବିଶ୍ବକପ୍‌ ଆୟୋଜନରୁ ବଞ୍ଚିତ ଥିବା ସଂଘଗୁଡିର କ୍ଷତି ଭରଣା କରିବ BCCI

ଭୁବନେଶ୍ବର : ଚଳିତ ବ‌ର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ଆୟୋଜନରୁ ଯେଉଁ ରାଜ୍ୟ ସଂଘଗୁଡିକ ବଞ୍ଚିତ ହୋଇଛନ୍ତି, ବିସିସିଆଇ ସେମାନଙ୍କ କ୍ଷତି ଭରଣା କରିବ ବୋଲି ଘୋଷଣା କରିଛି। ବିଶ୍ବକପ୍‌ ପରେ ଭାରତରେ ହେବାକୁ ଥିବା ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାର ମ୍ୟାଚ୍‌ ସଂପୃକ୍ତ ରାଜ୍ୟ ସଂଘଗୁଡ଼ିକୁ ପ୍ରଦାନ କରାଯିବା ପାଇଁ ବିସିସିଆଇର ଏକ ବୈଠକରେ ସ୍ଥିର ହୋଇଛି। ଫଳରେ ବାରବାଟୀ ଷ୍ଟାଡିୟମ୍‌କୁ ପୁଣି ଥରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଫେରିବା ନେଇ ଆଶା ସଂଚାର ହୋଇଛି। ଶେଷଥର ପାଇଁ ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବାରବାଟୀରେ ଆନ୍ତର୍ଜାତିକ ଦିନିକିଆ ଖେଳାଯାଇଥିଲା। କ୍ଷତି ଭରଣା ସଂକ୍ରାନ୍ତରେ ବିସିସିଆଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ସଂଘକୁ ଚିଠି ଲେଖିଥିଲା ବେଳେ ବିଶ୍ବକପ୍‌ ଆୟୋଜନ କରୁଥିବା ୧୦ ସହର-ଦିଲ୍ଲୀ, ଧର୍ମଶାଳା, ଚେନ୍ନାଇ, କୋଲକାତା, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଅହମଦାବାଦ, ବେଙ୍ଗାଲୁରୁ ଓ ଲକ୍ଷ୍ନୌର ରାଜ୍ୟ ସଂଘ ଅଧିକାରୀଙ୍କ ସହିତ ଆଲୋଚନା ପରେ ସମସ୍ତେ ଉକ୍ତ ପ୍ରସ୍ତାବରେ ସହମତି ଥିବା ଉଲ୍ଲେଖ କରାଯାଇଛି। ଏପରିକି କେବଳ ୱାର୍ମ ଅପ୍‌ ମ୍ୟାଚ୍‌ ଆୟୋଜନ କରୁଥିବା ଗୁଆହାଟୀ ଓ ଥିରୁବନନ୍ତପୁରମ୍‌ରେ ମଧ୍ୟ ଦ୍ବିପାକ୍ଷିକ ଶୃଙ୍ଖଳା ସମୟରେ ଦିନିକିଆ ମ୍ୟାଚ୍‌ ଆୟୋଜନ ପାଇଁ ସୁଯୋଗ ପାଇବେ। ବିଶ୍ବକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ସେପ୍ଟେମ୍ବର-ଅକ୍ଟୋବରରେ ଭାରତ ଆସିବ।

ଆଇପିଏଲ୍‌ ପରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ବାତିଲ ହେବା ପରେ ବିଶ୍ବକପ୍‌ ପୂର୍ବରୁ ଏହା ଆରମ୍ଭ କରାଯିବା ସମ୍ଭାବନା ରହିଛି। ଆଫଗାନିସ୍ତାନ କେତୋଟି ମ୍ୟାଚ୍‌ ଖେଳିବ ତାହା ସ୍ଥିର ହୋଇନାହିଁ, ତଥାପି ବିଶ୍ବକପ୍‌ ପୂର୍ବରୁ ଭାରତର ପ୍ରସ୍ତୁତି ପାଇଁ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ରହିବ। ତେଣୁ ଅଷ୍ଟ୍ରେଲିଆ କିମ୍ବା ଆଫାଗାନିସ୍ତାନ ମଧ୍ୟରୁ କୌଣସି ଦଳ ବାରବାଟୀ ଷ୍ଟାଡିୟମ୍‌ ଆସିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଭାରତରେ ବିଶ୍ବକପ୍‌ ଅକ୍ଟୋବର ୫ ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ହାଇଦ୍ରାବାଦକୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ଷ୍ଟାଡିୟମ୍‌ରେ ୫ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ। ହାଇଦ୍ରାବାଦ୍‌ରେ ପାକିସ୍ତାନର ଦୁଇଟି ୱାର୍ମ ଅପ୍‌ ମ୍ୟାଚ୍‌ ସହିତ ବିଶ୍ବକପ୍‌ର ତିନୋଟି ମ୍ୟାଚ୍‌ ଅନୁଷ୍ଠିତ ହେବ। କିନ୍ତୁ ବିଶ୍ବକପ୍‌ ଆୟୋଜନ ତାଲିକାରୁ କଟକ ସମେତ ମୋହାଲି, ନାଗପୁର, ରାଜକୋଟ, ଇନ୍ଦୋର, ରାଞ୍ଚି, ଭାଇଜାଗ୍‌, ରାୟପୁରକୁ ବାଦ୍‌ ଦିଆଯାଇଛି।

Related posts

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ

Odisha Sports Bureau

ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ

Odisha Sports Bureau

ଅଧିନାୟକତ୍ୱ ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ! ରିପୋର୍ଟରେ ବଡ ଖୁଲାସା

Odisha Sports Bureau