ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଯୁବ ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ଦୁଃଖଦ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ଫେବୃଆରୀ ୨୧ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଅଧିକ ଖରାପ ହୋଇଯାଇଥିବାରୁ ତାଙ୍କୁ ଗ୍ରେଟର ନୋଏଡାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର, ଫେବୃଆରୀ ୨୭ ତାରିଖରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ଖବର କ୍ରିକେଟ ଜଗତକୁ ଗଭୀର ଆଘାତ ଦେଇଛି।
Board of Control for Cricket in India (ବିସିସିଆଇ) ସଚିବ ଦେବଜିତ ସାଇକିଆ ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଏହି କଷ୍ଟକର ସମୟରେ ବିସିସିଆଇ ପକ୍ଷରୁ ରିଙ୍କୁ ସିଂ ଓ ତାଙ୍କ ସମଗ୍ର ପରିବାର ସହିତ ଆମେ ଅଛୁ।” ଏହାସହିତ ସେ ଆହୁରି ସୂଚନା ଦେଇଛନ୍ତି ଯେ ରିଙ୍କୁ ସିଂ ପରବର୍ତ୍ତୀ ସୁପର-୮ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ ଏବଂ ଟିମ ସହିତ କୋଲକାତା ଯାତ୍ରା କରିବେ ନାହିଁ। ତାଙ୍କ ସମ୍ପର୍କରେ ଆଉ ଏକ ଅପଡେଟ ଶୀଘ୍ର ଦିଆଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପରେ ରିଙ୍କୁ ସିଂ ନୋଏଡାକୁ ଯାଇ ତାଙ୍କ ପିତାଙ୍କୁ ଦେଖିଥିଲେ ଏବଂ ପରେ ଦଳରେ ପୁଣି ଯୋଗ ଦେଇଥିଲେ। ଏହି ଦୁଃଖଦ ଘଟଣାରେ କ୍ରିକେଟ ଜଗତରୁ ଶୋକର ଲହରୀ ଦେଖିବାକୁ ମିଳୁଛି।
