Cricket

୧୯୮୭ରେ ଯାହା ହୋଇନଥିଲା ତାହା ଏବେ ହେବ, ପ୍ରତିଶୋଧ ନେବ ଭାରତ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପ୍‌ର ନକଆଉଟ୍ ପର୍ଯ୍ୟାୟ ମାର୍ଚ୍ଚ ୪ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବ ରୋମାଞ୍ଚକର ମୁକାବିଲା। ଗ୍ରୁପ୍-୨ରେ ଶୀର୍ଷ ସ୍ଥାନ ଅଧିକାର କରି ଇଂଲଣ୍ଡ ସେମିଫାଇନାଲକୁ ପହଞ୍ଚିଥିବା ବେଳେ, ଭାରତ ସୁପର-୮ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନ ରଖି ଶେଷ ଚାରିରେ ନିଜ ଜଗା ସୁନିଶ୍ଚିତ କରିଛି। ଏହା ଲଗାତାର ତୃତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ଦୁଇ ଦଳର ସାମ୍ନାସାମ୍ନି ହେବାକୁ ଯାଉଛି।

ମାର୍ଚ୍ଚ ୫ ତାରିଖରେ ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡ୍ ଷ୍ଟାଡିୟମରେ ଏହି ମହାମୁକାବିଲା ଖେଳାଯିବ। ଏହି ମାଇଦାନ ସହ ଭାରତ-ଇଂଲଣ୍ଡ ମ୍ୟାଚର ଏକ ପୁରୁଣା ଇତିହାସ ଜଡିତ ଅଛି। ୧୯୮୭ ମସିହାରେ ଏହି ମାଇଦାନରେ ଦୁଇ ଦଳ ବିଶ୍ୱକପ୍ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ, ଯେଉଁଠାରେ ଭାରତକୁ ହାର ମାନିବାକୁ ପଡିଥିଲା। ସେହି ମ୍ୟାଚରେ ଇଂଲଣ୍ଡ ୫୦ ଓଭରରେ ୨୫୪ ରନ୍ ସଂଗ୍ରହ କରିଥିଲା ଏବଂ ଜବାବରେ ଭାରତ ୨୧୯ ରନରେ ଅଲଆଉଟ୍ ହୋଇ ପରାସ୍ତ ହୋଇଥିଲା। ଘରୋଇ ମାଟିରେ ସେମିଫାଇନାଲ ହାରିବା ଭାରତୀୟ ଦଳ ଓ କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଝଟକା ଥିଲା।

୩୯ ବର୍ଷ ପରେ ପୁଣି ସେହି ମଇଦାନରେ ଦୁଇ ଦଳ ମୁହାଁମୁହିଁ ହେବେ, ଯଦିଓ ଏଥର ଫର୍ମାଟ୍ ହେଉଛି ଟି-୨୦। ଏହା କେବଳ ଏକ ସେମିଫାଇନାଲ ମ୍ୟାଚ୍ ନୁହେଁ, ବରଂ ପୂର୍ବ ପରାଜୟର ପ୍ରତିଶୋଧ ନେବାର ଏକ ବଡ଼ ସୁଯୋଗ ମଧ୍ୟ। ଶେଷ ଥର ୨୦୧୬ରେ ଏହି ମାଇଦାନରେ ଭାରତ ଟି-୨୦ ବିଶ୍ୱକପ୍ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲା ଏବଂ ସେଥିରେ ମଧ୍ୟ ପରାଜୟ ବରଣ କରିଥିଲା। ଏଥର ଟିମ୍ ଇଣ୍ଡିଆ ଦୃଢ଼ ମନୋବଳ ସହ ମାଇଦାନକୁ ଅବତରଣ କରିବ। ଗୋଟିଏ ବିଜୟ ଭାରତକୁ ଫାଇନାଲରେ ପହଞ୍ଚାଇବ। ଇଂଲଣ୍ଡ ଇତିହାସ ପୁନରାବୃତ୍ତିର ଚେଷ୍ଟା କରିବାକୁ ଚାହୁଁଥିବା ବେଳେ, ଭାରତ ପାଇଁ ଏହା ହେଉଛି ଗୌରବ ଫେରାଇବାର ଅବସର। ଏହି ମହାମୁକାବିଲା କ୍ରିକେଟ୍ ପ୍ରେମୀଙ୍କୁ ଦେବ ଏକ ଉତ୍ସାହପୂର୍ଣ୍ଣ ଓ ସ୍ମରଣୀୟ ସନ୍ଧ୍ୟା।

Related posts

କେବଳ ଦଳ ପାଇଁ ନୁହେଁ,ଦେଶ ପାଇଁ ମଧ୍ୟ ଖେଳିଥାଏ : ରୋହିତ

Odisha Sports Bureau

ମାସେ ପୂର୍ବରୁ ଅବସର ନେଇଥିଲେ, ଏବେ ମୁଖ୍ୟ ପ୍ରଶିକ୍ଷକ ହେବେ, ପାକିସ୍ତାନ କଲା ବଡ଼ ଘୋଷଣା

Odisha Sports Bureau

ଦୁଲୁକିବ ବାରବାଟୀ: ସିଲଭର ସିଟିରେ ଜମିବ ଟି-୨୦ କ୍ରେଜ୍

Odisha Sports Bureau