ଜବରଦସ୍ତ ବିଜୟ ସହ ଅଷ୍ଟ୍ରେଲିଆ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଲା ଭାରତ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟି-୨୦ ମ୍ୟାଚ୍ ରବିବାର ହୋବାର୍ଟରେ ଖେଳାଯାଇଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ କୁ ୫ ୱିକେଟରେ ଜିତି ନେଇଛି । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୦ ଓଭରରେ ୬ ୱିକେଟ ହରାଇ ୨୮୬ ରନ କରିଥିଲା । ଜବାବରେ ଟିମ୍ ଇଣ୍ଡିଆ ୧୯ତମ ଓଭରରେ ସହଜରେ ଏହି ଟାର୍ଗେଟ ହାସଲ କରି ନେଇଥିଲା । ୱାଶିଂଟନ ସୁନ୍ଦର ଏହି ମ୍ୟାଚ୍ ରେ ୪୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଟିମ୍ ଇଣ୍ଡିଆର ଏହି ବିଜୟ ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ ୧-୧ ରେ ବରାବର ହୋଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଭଲ ହୋଇ ନଥିଲା । ପ୍ରଥମ ତିନି ଓଭରରେ କଙ୍ଗାରୁ ଦଳ ଦୁଇଟି ଝଟକା ପାଇଥିଲା । ଅର୍ଶଦୀପ ସିଂହ ନିଜକ ପ୍ରଥମ ଦୁଇ ଓଭରରେ ଟ୍ରାଭିସ୍ ହେଡ୍ ଏବଂ ଜୋଶ୍ ଇଙ୍ଗଲିସକୁ ଆଉଟ୍ କରିଥିଲେ । ଏହା ପରେ ଅଧିନାୟକ ମିଚେଲ୍ ମାର୍ଶ ଏବଂ ଟିମ୍ ଡେଭିଡ୍ ୩୫ ବଲ୍ ରେ ତୃତୀୟ ୱିକେଟ ପାଇଁ ୫୯ ରନର ଭାଗୀଦାରି କରିଥିଲେ । ଏହି ସମୟରେ ଟିମ୍ ଡେଭିଡ୍ ଏହି ମ୍ୟାଚ୍ ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଷ୍ଟୋଇନିସ୍ ସହିତ ପଞ୍ଚମ ୱିକେଟ୍ ରେ୨୭ ବଲ୍ ରେ ୪୫ ରନ୍ ର ପାର୍ଟନରସିପ୍ କରିଥିଲେ । ଡେଭିଡ୍ ୩୮ ବଲ୍ ରେ ୭୪ ରନ୍ କରିଥିଲେ, ଯେଉଁଥିରେ ଆଠ ଚୌକା ଏବଂ ପାଞ୍ଚ ଛକା ସାମିଲ ଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ୧୮୭ ରନ୍ର ଟାର୍ଗେଟ୍ ଦେଇଥିଲା ଅଷ୍ଟ୍ରେଲିଆ ଦଳ ।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୩୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଅଭିଷେକ ଶର୍ମା ୧୬ ବଲରୁ ୨୫ ରନ କରିଥିଲେ। ଶୁବମନ ଗିଲ୍ ୧୫ ରନ କରିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୧ ବଲରୁ ୨୪ ରନ କରି ଆଉଟ୍ ହୋଇଥିଲେ । ତେବେ ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଅକ୍ଷର ପଟେଲ୍ ୧୭ ରନ କରିଥିବା ବେଳେ ତିଳକ ବର୍ମା ୨୯ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଓ୍ଵାଶିଂଟନ ୨୩ ବଲରୁ ଦ୍ରୁତ ୪୯ ରନ କରି ଅପରାଜିତ ରହି ଦଳକୁ ଜିତାଇଛନ୍ତି । ଜିତେଶ ଶର୍ମା ୨୨ ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ସର୍ବାଧିକ ୩ ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ଓ ଶିବମ ଦୁବେ ଗୋଟିଏ ୱିକେଟ ନେଇଛନ୍ତି ।
![]()
