ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଅନୁଷ୍ଠିତ ପଞ୍ଚମ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୧୫ ରନ୍ରେ ବିଜୟ ହାସଲ କରି ୫-୦ରେ ସିରିଜ ମୂଳପୋଛ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଜବାବରେ ଶ୍ରୀଲଙ୍କା ୭ ୱିକେଟ୍ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା । ୫ଟି ଯାକ ମ୍ୟାଚ ଜିତି ନୂଆବର୍ଷ ଭେଟି ଦେଇଛି ଭାରତୀୟ ମହିଳା କ୍ରିକେଟ ଟିମ୍ । ଆସନ୍ତାବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ ରହିଛି । ଏ ନେଇ ଭାରତ ପ୍ରସ୍ତୁତ ଥିବା ପ୍ରମାଣିତ କରିଛି ।
![]()
ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଭାରତ ସ୍ମୃତି ମନ୍ଧନା, ଜେମିମା ରୋଡ୍ରିଗ୍ସ, କ୍ରାନ୍ତି ଗୌଡ଼ ଓ ରେଣୁକା ସିଂହ ଠାକୁରଙ୍କୁ ବିଶ୍ରାମ ଦେଇଥିଲା । ଜି. କମଳିନୀ ପଦାର୍ପଣ କରିଥିଲେ । ଅରୁନ୍ଧତୀ ରେଡ୍ଡୀ, ଅମନଜୋତ କୌର, ହର୍ଲିନ ଦେଓଲ ଏକାଦଶକୁ ଫେରିଥିଲେ । ମନ୍ଧନାଙ୍କ ଅନୁପସ୍ଥିତିରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ସମ୍ମୁଖୀନ ହୋଇଥିଲା । ଶେଫାଳି ବର୍ମା ୫, କମଳିନୀ ୧୨, ହର୍ଲିନ ୧୩, ରିଚା ଘୋଷ ୫ ଓ ଦୀପ୍ତି ଶର୍ମା ୭ ରନ କରି ଆଉଟ୍ ହୋଇଥିଲେ । ୭୭ ରନ୍ରେ ଦଳ ୫ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ତୃତୀୟ ୱିକେଟ୍ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ହର୍ମନପ୍ରୀତ କୌର ଖେଳିଥିଲେ ଅଧିନାୟିକା ଇନିଂସ । ସେ ଗୋଟିଏ ପଟେ ଆକ୍ରମଣ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍ଥିତି ସୁଧାରିଥିଲେ । ଅମନଜୋତଙ୍କୁ ସାଥୀ କରି ହର୍ମନପ୍ରୀତ ଷଷ୍ଠ ୱିକେଟ୍ରେ ଯୋଗ କରିଥିଲେ ୬୧ ରନ । ଦଳୀୟ ସ୍କୋର ୧୩୮ ବେଳେ ଅମନଜୋତ ୨୧ (୧ଚୌକା, ୧ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ହର୍ମନପ୍ରୀତ ୪୩ଟି ବଲ୍ରୁ ୯ ଚୌକା ଓ ୧ଛକା ବଳରେ ୬୮ ରନ କରି ପାଭିଲିୟନ ଫେରିଥିଲେ ।

