ଭାରତର ଦବ୍ଦବା, ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଚିନ୍ତାରେ ! ଲଗାତାର ଦୁଇଟି ପରାଜୟ ପରେ ଟିମ୍ ଇଣ୍ଡିଆକୁ ରୋକିବା ପାଇଁ ଦଳରେ ବଡ଼ ପରିବର୍ତ୍ତନ କରିଛି କିୱି ଟିମ୍। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ଥିବାବେଳେ, ଆଗାମୀ ତିନୋଟି ମ୍ୟାଚ୍ ପାଇଁ ସ୍କ୍ୱାଡ୍ରେ ଅଦଳବଦଳ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍।

ଦ୍ରୁତ ବୋଲର ଲକି ଫର୍ଗୁସନ ତୃତୀୟ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ। ତେବେ ଶେଷ ଦୁଇଟି ମ୍ୟାଚ୍ ପାଇଁ ସେ ପୁଣି ଦଳକୁ ଫେରିବେ। ସେହିପରି ମ୍ୟାଟ୍ ହେନେରୀଙ୍କୁ ଆଗାମୀ ତିନୋଟି ଟି-୨୦ ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି। ସେ ସିଧାସଳଖ ଦିନିକିଆ ସିରିଜ୍ରେ ନଜର ଆସିବେ। ଅନ୍ୟପଟେ କାଏଲ ଜେମିସନ ତୃତୀୟ ଟି-୨୦ ମ୍ୟାଚ୍ ଖେଳିବେ, କିନ୍ତୁ ଶେଷ ଦୁଇଟି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବ୍ଲେୟାର ଟିକନର ଆଗାମୀ ତିନୋଟି ମ୍ୟାଚ୍ ପାଇଁ ଦଳରେ ସାମିଲ ହୋଇଛନ୍ତି। ମ୍ୟାଟ୍ ଫିଶର କେବଳ ତୃତୀୟ ଟି-୨୦ ପାଇଁ ଉପଲବ୍ଧ ରହିବେ। ଏହାପରେ ସେ ନ୍ୟୁଜିଲାଣ୍ଡ ‘ଏ’ ଦଳକୁ ଫେରିଯିବେ। ସେହିପରି ଜୋଶ୍ କ୍ଲାର୍କସନ ଶେଷ ଦୁଇଟି ମ୍ୟାଚ୍ ପାଇଁ ଦଳ ସହ ଯୋଡ଼ି ହେବେ।

ତେବେ ଖେଳାଳିଙ୍କ ଏହି ଅଦଳବଦଳ ନ୍ୟୁଜିଲାଣ୍ଡ ପାଇଁ କେତେ ଫଳପ୍ରଦ ହେବ, ନା ଭାରତ ନିଜ ବିଜୟ ଧାରା ଜାରି ରଖି ସିରିଜ୍ କବ୍ଜା କରିବ, ଏହା ଉପରେ ରହିବ କ୍ରିକେଟ୍ପ୍ରେମୀଙ୍କ ନଜର।

