କ୍ରିକେଟ୍ ପଡ଼ିଆରେ ନିଜ ପ୍ରତିଭାର ଛାପ ଛାଡ଼ିବା ପୂର୍ବରୁ ଲିଭିଗଲା ଜୀବନର ଦୀପ। ଦେଶ ପାଇଁ ଖେଳିବାର ସ୍ୱପ୍ନ ଦେଖୁଥିବା ଜଣେ ଉଦୀୟମାନ କ୍ରିକେଟରଙ୍କ ଅକାଳ ବିୟୋଗ ଏବେ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି। ମାତ୍ର ୧୭ ବର୍ଷ ବୟସରେ ଆଖି ବୁଜିଛନ୍ତି ତେଲେଙ୍ଗାନାର ମହିଳା କ୍ରିକେଟର ନନ୍ଦିନୀ। ନିକଟରେ ବିସିସିଆଇ ଅଣ୍ଡର-୧୯ ଦଳରେ ସ୍ଥାନ ପାଇଥିବା ନନ୍ଦିନୀଙ୍କ ମୃତ୍ୟୁକୁ ନେଇ ଏବେ ଚାଞ୍ଚଲ୍ୟକର ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଯୁବକଙ୍କ ନିର୍ଯାତନା ଯୋଗୁଁ ସେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ତେଲେଙ୍ଗାନାର ବିକାରାବାଦ ଜିଲ୍ଲା ୟାଲାଲ ମଣ୍ଡଳ ଅନ୍ତର୍ଗତ ସଙ୍ଗୟାପଲ୍ଲୀ ଗାଁର ନନ୍ଦିନୀ ପାଠପଢ଼ା ସହ କ୍ରିକେଟ୍ ଅଭ୍ୟାସ ଜାରି ରଖିଥିଲେ। ବିକାରାବାଦର ମଧୁ କଲୋନୀରେ ଥିବା ଜେଜେମାଆଙ୍କ ଘରେ ରହି ସେ କ୍ରିକେଟ୍ ପ୍ରଶିକ୍ଷଣ ନେଉଥିଲେ। ନିଜର ଦକ୍ଷତା ଓ ଉନ୍ନତ ପ୍ରଦର୍ଶନ ବଳରେ ବିସିସିଆଇ ଅଣ୍ଡର-୧୯ ଦଳରେ ମନୋନୀତ ହୋଇଥିଲେ। ତାଙ୍କର ଏହି ସଫଳତା ପରେ କ୍ରିକେଟ୍ କ୍ୟାରିୟରକୁ ନେଇ ଅନେକ ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ଏହାର କିଛି ଦିନ ପରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଗଭୀର ଆଘାତ ଦେଇଛି।
ଏପଟେ ନନ୍ଦିନୀଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଦୁଇ ଜଣ ଯୁବକଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ପରିବାରର ଅଭିଯୋଗ ଅନୁସାରେ, ଜଣେ ଯୁବକ ପ୍ରେମ ସମ୍ପର୍କକୁ ନେଇ ନନ୍ଦିନୀଙ୍କୁ ଦୀର୍ଘଦିନ ଧରି ହଇରାଣ କରୁଥିଲେ। ଅନ୍ୟ ଜଣେ ଯୁବକ ମଧ୍ୟ ଏଥିରେ ସହଯୋଗ କରୁଥିଲେ। ଏହି ଘଟଣାକୁ ନେଇ ନନ୍ଦିନୀ ମାନସିକ ଚାପରେ ରହୁଥିବା ପରିବାର ଲୋକ କହିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଝିଅକୁ ହରାଇବା ପରେ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଥିଲେ ପରିବାର ଓ ସ୍ଥାନୀୟ ବାସିନ୍ଦା। ବିକାରାବାଦରେ ରାସ୍ତାରୋକ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ତୁରନ୍ତ ଗିରଫ କରିବା ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ନନ୍ଦିନୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଜଣେ ଉଦୀୟମାନ ମହିଳା କ୍ରିକେଟରଙ୍କ ଏଭଳି ଅକାଳ ବିୟୋଗ କେବଳ ତାଙ୍କ ପରିବାର ନୁହେଁ, ସମଗ୍ର କ୍ରୀଡ଼ା ଜଗତକୁ ଶୋକାକୁଳ କରିଛି। ନନ୍ଦିନୀଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏବଂ ପରିବାର ଆଣିଥିବା ନିର୍ଯାତନା ଅଭିଯୋଗର ସତ୍ୟତା ତଦନ୍ତ ପରେ ସାମ୍ନାକୁ ଆସିବ।
