ମୁମ୍ବାଇ: ଚଳିତ ଆଇପିଏଲରେ ୬୦ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଉଭୟ ଦଳ ପାଇଁ ବର୍ତ୍ତମାନ ବିଜୟ ଅତ୍ୟନ୍ତ ଜରୁରି । ଆଜିର ମୁକାବିଲାରେ ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ସମାନ ୧୧ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଉଛି। ତେଣୁ ଆଜିର ମ୍ୟାଚରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ତେବେ ଆଜିର ମ୍ୟାଚକୁ ରୟାଲ୍ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିବ । ତଥାପି ଦଳର ପ୍ଲେ-ଅଫ୍ ନିଶ୍ଚିତ ହୋଇପାରିବ ନାହିଁ । ରନ୍ ରେଟ୍ କମ୍ ଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ । ବିରାଟ କୋହଲି ଓ ଫାଫ ଡୁ ପ୍ଲେସିଙ୍କୁ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ ।
ସେହିପରି ପଞ୍ଜାବ କିଙ୍ଗ୍ସକୁ ପ୍ଲେ-ଅଫରେ ପ୍ରବେଶ କରିବାକୁ ହେଲେ ବାକି ୩ଟି ଯାକ ମ୍ୟାଚ୍ ଜିତିବାକୁ ହେବ । ରୟାଲ୍ ଚ୍ୟାଲେଞ୍ଜର୍ସ ଇତି ମଧ୍ୟରେ ୧୨ଟି ମ୍ୟାଚ୍ ଖେଳି ୧୪ ପଏଣ୍ଟ ହାସଲ କରିଥିଲେ ହେଁ ରନ୍ ରେଟ୍ -୦.୧୧୫ ରହିଛି । ସେହିପରି ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ(-୦.୦୫୭ ରନ୍ ରେଟ୍) ଅକ୍ତିଆର କରିଛି ।