ପୁଣିଥରେ ଟେଷ୍ଟ୍କୁ କମ୍ବ୍ୟାକ୍ କରିପାରନ୍ତି ରନ୍ ମେସିନ୍ ବିରାଟ୍ କୋହଲି । ଆଇପିଏଲ୍ର ପ୍ରଥମ ମୁକାବିଲା ପରେ ଏମିତି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଗତକାଲିର ମ୍ୟାଚ୍ରେ ହାଇଦ୍ରାବାଦ ବିପକ୍ଷରେ ଦମ୍ଦାର ପାଳି ଖେଳିଛନ୍ତି କିଙ୍ଗ୍ କୋହଲି । ଯେଉଁ କଥାକୁ ନେଇ ପୂର୍ବତନ ଭାରତୀୟ ଖେଳାଳି ବଡ କଥା କହିଛନ୍ତି । ପୂର୍ବତନ କ୍ରିକେଟର ଅମ୍ବିତ ରାୟଡୁ କହିଛନ୍ତି ଯେ,ବିରାଟ ବିଲିକୁଲ ଫିଟ୍ ଅଛନ୍ତି । ସେ ଆହୁରି ୫ ରୁ ୬ ବର୍ଷ ଯାଏଁ କ୍ରିକେଟ୍ ଖେଳିପାରିବେ । ସେ ଖେଳିବା ଉଚିତ୍ । ଶନିବାର ବିରାଟ ଏସଆରଏଚ ବିପକ୍ଷରେ ୬୯ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପରେ ଆଇପିଏଲରେ ମଧ୍ୟ ବିରାଟ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏସବୁକୁ ନେଇ ଅମ୍ବତି କହିଛନ୍ତି ଯେ, ବିରାଟ ଖାଲି ଦିନିକିଆରେ ଫୋକସ କରିବା ଅନୁଚିତ୍ । ଏବେବି ସେ ଟେଷ୍ଟ୍ ଖେଳିପାରିବେ । ଟେଷ୍ଟ୍ କ୍ରିକେଟକୁ ତାଙ୍କର ଅବଦାନ ଅପୂରଣୀୟ ରହିଛି । ନାଲି ବଲର କ୍ରିକେଟରୁ ସେ ଆହୁରି କିଛି ଅବଦାନ ଦେଇପାରିବେ । ସେ ଏବେ ପୁରା ଫିଟ୍ ଅଛନ୍ତି । ଏବେ ଆଇପିଏଲରେ ବିରାଟ କେବଳ ଟ୍ରେଲର ଦେଖାଇଛନ୍ତି ।
ଅମ୍ବତି ରାୟଡୁ ଆହୁରି କହିଛନ୍ତି ଯେ, ତାଙ୍କର କୌଣସି ଶାରୀରିକ ସମସ୍ୟା ଥିଲା ଭଳି ମନେ ହେଉନାହିଁ । ପଡିଆରେ ସେ ଜବରଦସ୍ତ ଫିଲ୍ଡିଂ କରୁଛନ୍ତି । କେବଳ ମାନସିକ ସ୍ତରରେ ହିଁ ସେ ପଛକୁ ହଟିପାରିବେ । ନହେଲେ କୌଣସି ଅସୁବିଧା ନାହିଁ । ଏବେବି ତାଙ୍କ କ୍ୟାରିଅର ବହୁତ ବର୍ଷ ରହିଥିବା ଲାଗୁଛି । ବିସିସିଆଇ ତାଙ୍କୁ ପୁଣି ଥରେ ଅଧିନାୟକ ଦାୟିତ୍ୱ ଦେବାକୁ ବିଚାର କରିବା ଦରକାର । ଟେଷ୍ଟରେ ସେ ଏବେବି ରନ୍ ଭୋକରେ ଅଛନ୍ତି । ତେଣୁ ସେ ଟେଷ୍ଟ୍ କ୍ରିକେଟକୁ କମ୍ ବ୍ୟାକ୍ କରିବା ଆବଶ୍ୟକ । ଯଦି ସେ ନଖେଳିବେ ତାହାଲେ ଏହା ଭାରତୀୟ ଦଳର କ୍ଷତି ବୋଲି ରାୟଡୁ କହିଛନ୍ତି ।
