Cricket

ଗେଲ୍‌ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ପରାସ୍ତ

(ଓଡିଶା ସ୍ପୋର୍ଟ/ସେଣ୍ଟ ଜଜରସ): କ୍ରିସ୍‌ ଗେଲ୍‌ଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ଏଠାରେ ଖେଳାଯାଇଥିବା ୪ର୍ଥ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଇଂଲଣ୍ଡଠାରୁ ୨୯ ରନରେ ପରାସ୍ତ ହୋଇଛି। ଜୋଶ୍‌ ବଟ୍‌ଲର ଓ ଅଧିନାୟକ ଇଅନ ମୋର୍ଗାନଙ୍କ ଶତକ ସାଙ୍ଗକୁ ଲେଗ୍‌-ସ୍ପିନର ଆଡିଲ ରଶିଦ ୫ଟି ବଲରେ ୪ଟି ଉଇକେଟ୍‌ ଅକ୍ତିଆର କରି ଇଂଲଣ୍ଡକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିଜୟ ସହ ଇଂଲଣ୍ଡ ୫ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ୫ମ ମ୍ୟାଚ୍‌ ଆସନ୍ତା ଶନିବାର ସେଣ୍ଟ ଲୁସିଆଠାରେ ଖେଳାଯିବ। ପୂର୍ବରୁ ବର୍ଷା ଯୋଗୁ ୩ୟ ମ୍ୟାଚ୍‌ ବାତିଲ ହୋଇଥିଲା।

ହାଇସ୍କୋରିଂ ମ୍ୟାଚ୍‌ରେ ଉଭୟ ଦଳ ମୋଟ୍‌ ୮୦୭ ରନ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଅଧିନାୟକ ମୋର୍ଗାନଙ୍କ ୧୦୩ (୮୮ ବଲ୍‌, ୮ ଚୌକା, ୬ ଛକା) ଓ ଉଇକେଟ୍‌କିପର ବଟଲରଙ୍କ ୧୫୦ ରନର (୭୭ ବଲ, ୧୩ ଚୌକା, ୧୨ ଛକା)ଦ୍ରୁତ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ୍‌ ହରାଇ ୪୧୮ ରନ କରିଥିଲା। କାରବୀୟ ମାଟିରେ ଏହା ସର୍ବାଧିକ ଦିନିକିଆ ସ୍କୋରର ମାନ୍ୟତା ପାଇଛି। ଚତୁର୍ଥ ଉଇକେଟ୍‌ ଯୋଡ଼ିରେ ବଟଲର ଓ ମୋର୍ଗାନ ୨୦୪ ରନର ପାର୍ଟନରଶିପ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲେକ୍ସ ହେଲ୍ସ ୮୨ ଓ ଜନୀ ବେୟାରଷ୍ଟୋ ୫୬ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଘରୋଇ ଦଳ ପକ୍ଷରୁ କାର୍ଲୋସ ବାର୍ଥଓ୍ବେଟ୍‌ ଓ ଓସାନେ ଥୋମାସ ୨ଟି ଲେଖାଏ ଉଇକେଟ୍‌ ମିଳିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ଗେଲ୍‌ଙ୍କ ୯୭ ବଲରୁ ୧୬୨ ରନର ମାରାଥନ ଇନିଂସ ସତ୍ତ୍ୱେ ୪୮ ଓଭରରେ ୩୮୯ ରନରେ ସୀମିତ ରହିଥିଲା। ଗେଲ୍‌ଙ୍କ ଏହି ଇନିଂସ ମଧ୍ୟରେ ୧୧ ଚୌକା ଓ ୧୪ ଛକା ସାମିଲ ଥିଲା। ଡ୍ବେନ ବ୍ରାଭୋ (୬୧), ବାର୍ଥଓ୍ବେଟ୍‌ (୫୦) ଓ ଆସଲୀ ନର୍ସ (୪୩) ଉପଯୋଗୀ ଇନିଂସ ଖେଳିଥିଲେ ମଧ୍ୟ ଦଳ ଟାର୍ଗେଟ୍‌ଠାରୁ ୨୯ ରନ ପଛରେ ରହିଯାଇଥିଲା। ବିଜୟୀ ଦଳ ପକ୍ଷରୁ ରଶିଦ ୫ ଓ ମାର୍କ ଉଡ୍‌ ୪ଟି ଉଇକେଟ୍‌ ଅକ୍ତିଆର କରିଥିଲେ। ମ୍ୟାଚ୍‌ର ୪୮ତମ ଓଭରରେ ରଶିଦ ୪ଟି ଉଇକେଟ୍‌ ନେଇ ଓ୍ବେଷ୍ଟଇଣ୍ଡିଜର ବିଜୟ ଆଶା ଧୂଳିସାତ୍‌ କରିଥିଲେ।

Related posts

ଟି-୨୦ ବିଶ୍ୱକପ ଲାଗି ଆରମ୍ଭ ହେଲା କାଉନଡାଉନ

Odisha Sports Bureau

ଏସିଆ କପ୍‌ : ରବିବାର ଭାରତ-ପାକ୍‌ ଲଢ଼େଇ

Odisha Sports Bureau

ମ୍ୟାଚ ଜିତି ପ୍ଲେ ଅଫ ଆଶା ଉଜ୍ଜିବୀତ କଲା ଚେନ୍ନାଇ