(ଓଡ଼ିଶା ସ୍ପୋର୍ଟ): ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ମାଟିରେ ଟି-୨୦ ସିରିଜ ଜିତିଛି ଭାରତ । ୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କବଜା କରିଛି କୋହଲି ବାହିନୀ । ଏହା ସହ ଆଜିର ଦମଦାର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ । ପ୍ରଥମେ ବ୍ୟାଟିଂ କରି ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ଭାରତ ୫ଟି ୱିକେଟ୍ ହରାଇ ୧୭୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ନ୍ୟୁଜିଲାଣ୍ଡ ୧୮୦ ରନର ବିଜୟଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ସମାନ ୧୭୯ ରନ୍ କରିଥିଲା । ଶେଷ ବଲରେ ମାତ୍ର ୧ ରନର ଆବଶ୍ୟକ ଥିବା ବେଳେ ରସ୍ ଟେଲରଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ ମହମ୍ମଦ ଶାମି । ଫଳରେ ମ୍ୟାଚ୍ ଯାଇ ପହଞ୍ଚିଥିଲା ସୁପରଓଭରରେ ।
ସୁପରଓଭରରେ ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଦମଦାର ବ୍ୟାଟିଂ କରି ଭାରତକୁ ଆଗରେ ଧାର୍ୟ୍ୟ କରିଥିଲା ୧୮ ରନର ବିଜୟଲକ୍ଷ୍ୟ । ପ୍ରଥମ ଦୁଇଟି ବଲ୍ ଧିମା ବ୍ୟାଟିଂ କରିଥିଲା ଭାରତ । ଶେଷ ୨ଟି ବଲରୁ ୧୦ ରନର ଆବଶ୍ୟକତା ଥିବା ବେଳେ ୨ଟି ଦର୍ଶନୀୟ ଛକା ମାରି ଦଳକୁ ବିଜୟୀ ଭେଟି ଦେଇଥିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦମଦାର ବ୍ୟାଟିଂ ପ୍ରଦର୍ଶନ ପାଇଁ ରୋହିତ ଶର୍ମାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।