କଟକ: ପୂର୍ଣ୍ଣ ଦର୍ଶକୀୟ କ୍ଷମତାରେ ହେବ ବାରବାଟୀ କ୍ରିକେଟ ମ୍ୟାଚ୍ । ଶତ ପ୍ରତିଶତ କ୍ଷମତାକୁ ନେଇ ବାରବାଟୀରେ ଖେଳ ଦେଖିବେ ଦର୍ଶକ । ଶତ ପ୍ରତିଶତ ଦର୍ଶକୀୟ କ୍ଷମତାକୁ ଅନୁମତି ଦେଲା ବିସିସିଆଇ । ଜୁନ୍ ୧୨ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ।ସେପଟେ ବାରବାଟୀର ହେବ ନବକଳେବର ।
ଏଥିପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) । ଆସନ୍ତା ଜୁନ୍ ୧୨ତାରିଖରେ ଏଠାରେ ଆୟୋଜିତ ହେବାକୁ ଥିବା ଏହି ଟି -୨୦ ମୁକାବିଲା ପୂର୍ବରୁ ସମସ୍ତ କାମକୁ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛି ଓସିଏ । ମ୍ୟାଚକୁ ଦିନ ପାଖେଇ ପାଖେଇ ଆସୁଥିବା ବେଳେ ଷ୍ଟାଡ଼ିୟମରେ ସମସ୍ତ ପ୍ରସ୍ତୁତି ଆଗେଇ ଆଗେଇ ଚାଲିଛି ।
ଅନ୍ୟପକ୍ଷେ ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍ ଫେରିଥିବାରୁ ଦର୍ଶକମାନେ ମ୍ୟାଚ୍ ଦେଖିବାକୁ ଉତ୍ସାହିତ ଅଛନ୍ତି । ଆଉ ଏପରି ସ୍ଥିତିରେ ପୂର୍ଣ୍ଣ କ୍ଷମତାରେ ମ୍ୟାଚ୍ ଆୟୋଜନ ହେଲେ ଅଧିକ ସଂଖ୍ୟାରେ ଦର୍ଶକ ମ୍ୟାଚ୍ ଦେଖିବାରେ ସକ୍ଷମ ହେବେ ।ବହୁ ଆଗରୁ ପଡିଆର ଆଉଟ ଫିଲ୍ଡ ଓ ଫ୍ଲଡ ଲାଇଟ କାମକୁ ଶେଷ କରାଯାଇଥିବା ବେଳେ ଏବେ ଷ୍ଟାଡିୟମକୁ ଏକ ନୂଆ ରୂପ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବାରବାଟୀର ନବକଳେବର ଦାୟିତ୍ୱ ଗୁଜୁରାଟ ମୋଟେରା ଠାରେ ତିଆରି ହୋଇଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମକୁ ଡିଜାଇନ କରିଥିବା ସଂସ୍ଥାକୁ ଦେଇଛି ଓସିଏ ।