Uncategorized

ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନରେ ଭାରତ ଦ୍ୱିତୀୟ

ନୂଆଦିଲ୍ଲୀ: ବିଶ୍ବ ଆଣ୍ଟି ଡୋପିଂ ଏଜେନ୍ସି (ୱାଡା) ପକ୍ଷରୁ ରବିବାର ୨୦୨୦ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟରେ ଭାରତ ପ୍ରଥମ ଥର ପାଇଁ ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନରେ ଦ୍ବିତୀୟ ସ୍ଥାନରେ ରହିଛି। ନିଷିଦ୍ଧ ଔଷଧ ସେବନ ମାମଲାରେ ଭାରତ ୫୯ ଥର ନିୟମ ଉଲ୍ଲଙ୍ଘନ କରିଥିଲା ବେଳେ ରୁଷିଆ ସବୁଠୁ ଅଧିକ ୧୩୫ ଥର ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ କରିଛି। ୨୦୧୩ ମସିହାରେ ୱାଡା ଆଣ୍ଟି ଡୋପିଂ ଉଲ୍ଲଙ୍ଘନ ରିପୋର୍ଟ ପ୍ରକାଶ କରିବା ଦିନଠୁ ବିଶ୍ବରେ ଭାରତ ଶୀର୍ଷ ୭ ଦେଶ ମଧ୍ୟରେ ରହିଆସୁଛି। ୨୦୧୪, ୨୦୧୫ ଓ ୨୦୧୯ରେ ରେ ଭାରତ ତୃତୀୟରେ ଥିଲା ବେଳେ ୨୦୧୮ରେ ଚତୁର୍ଥରେ ରହିଥିଲା।
୨୦୨୦ ରିପୋର୍ଟ ଅନୁସାରେ, ଭାରତରେ ଭାରୋତ୍ତୋଳନ (୧୫), ଦୌଡ଼କୁଦ (୧୨) ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଆଗରେ ରହିଛନ୍ତି। ସେହିପରି ଅଣ ଅଲିମ୍ପିକ୍ସ କ୍ରୀଡ଼ା ମଧ୍ୟରେ ଶକ୍ତିଉତ୍ତୋଳନ (୭), କବାଡ଼ି (୭) ରେ ମଧ୍ୟ ଏହି ମମାଲା ରେକର୍ଡ କରାଯାଇଛି। କୁସ୍ତିରୁ ୬ ମାମଲା ଆସିଛି। ଭାରତର ମୋଟ ୫୯ ଉଲ୍ଲଙ୍ଘନ ମାମଲାରୁ ୪ଟି ଅଣ ବିଶ୍ଲେଷଣ ମାମଲା ରହିଛି। ସେଥିରୁ ତିନୋଟି ଦୌଡ଼କୁଦରୁ ଏବଂ ଗୋଟିଏ ଜୁଡୋରୁ ରେକର୍ଡ ହୋଇଛି।
୨୦୨୨ ନଭେମ୍ବର ୧୦ ତାରିଖ ମଧ୍ୟରେ ଗ୍ରହଣ କରାଯାଇଥିବା ତଥ୍ୟକୁ ଆଧାର କରି ୱାଡା ପକ୍ଷରୁ ୨୦୨୦ ବର୍ଷ ପାଇଁ ଆଣ୍ଟି ଡୋପିଂ ଉଲ୍ଲଙ୍ଘନ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଭାରତରେ ୨୦୨୦ ମସିହାରେ ୬୫ ରକ୍ତ ନମୂନା ସହ ମୋଟ ୧୧୮୬ ନମୂନା ପରୀକ୍ଷା କରିଛି। ୨୦୨୦ରେ କୋଭିଡ୍ ମହାମାରୀ ଯୋଗୁଁ କମ୍ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷାଗୁଡ଼ିକ ମଧ୍ୟରୁ ୫୫ ନମୂନା (୪.୬%) ପଜିଟିଭ୍ ଆସିଥିଲା। ଏହି ସଂଖ୍ୟା କୌଣସି ଜାତୀୟ ଆଣ୍ଟି ଡୋପିଂ ସଂଗଠନ ଦ୍ବାରା ୧୦୦୦ କିମ୍ବା ଏହାଠୁ ଅଧିକ ନମୂନା ପରୀକ୍ଷାରୁ ଆସିଥିବା ରିପୋର୍ଟ ତୁଳନାରେ ସର୍ବାଧିକ ଥିଲା। ଏହି ୫୫ ନମୂନାକୁ ଆଣ୍ଟି ଡୋପିଂ ନିୟମ ଉଲ୍ଲଙ୍ଘନ ସଂଖ୍ୟା ଭାବେ ପରିଗଣିତ ହୋଇଛି।

Related posts

ଜାତୀୟ କ୍ରୀଡ଼ାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଜିମ୍ନାଷ୍ଟିକ ଷ୍ଟାର ପ୍ରଣତୀ ନାୟକ

Odisha Sports Bureau

ବ୍ୟାଡମିଣ୍ଟନ ଚାମ୍ପିଅନସିପ ଫାଇନାଲରେ ଆୟୁଷ୍

Odisha Sports Bureau

ନୀରଜ ସ୍ବର୍ଣ୍ଣ ଜିତିଲେ ପୁରସ୍କାର ଦେବେ ଋଷବ ପନ୍ତ

Odisha Sports Bureau