Wrestling

ଭାରତୀୟ କୁସ୍ତି ମହାସଂଘ ନିର୍ବାଚନ: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ହରିୟାଣା କୁସ୍ତି ତାରକା ଅନିତା ସେରଣ

ଭୁବନେଶ୍ବର:  ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା କ୍ରୀଡ଼ା ସଂଗଠକ ବ୍ରିଜଭୂଷଣ ଶରଣ ସିଂହ ଭାରତୀୟ କୁସ୍ତି ମହାସଂଘ ସଭାପତି ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ତା’ସହ ଡବ୍ଲ୍ୟୁଏଫଆଇର ପରିଚାଳନା ଲାଗି ଭାରତୀୟ ଅଲିମ୍ପିକ୍ସ ସଂଘର ନିର୍ଦ୍ଦେଶ ଓ ତତ୍ତ୍ବାବଧାନରେ ଏକ ଅସ୍ଥାୟୀ କମିଟି ଗଠନ ହେବା ସହ ଅଗଷ୍ଟ ୧୨ରେ ସାନି ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପୂର୍ବରୁ ମଙ୍ଗଳବାର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରକାଶ ପାଇଛି। ଏଥିରେ ଡବ୍ଲ୍ୟୁଏଫଆଇ ସହ ଅନୁବନ୍ଧିତ ୨୫ ରାଜ୍ୟ ସଂଘ ସୁପାରିସ୍ କରିଥିବା ଦୁଇ ଜଣ ଲେଖାଏଁ ଯୋଗ୍ୟ ଭୋଟରଙ୍କ ନାମ ସ୍ଥାନ ପାଇଛି। ଅଦାଲତରେ ମାମଲା ଲଢ଼ିବା ସହ ଜାମିନରେ ଥିବା ବ୍ରିଜଭୂଷଣ ଓ ତାଙ୍କ ପୁଅ କରଣ ନିର୍ବାଚନରୁ ଦୂରେଇ ରହିଛନ୍ତି। ତେବେ ଏହି ତାଲିକାରେ ଏମିତି ଅନେକ ଲୋକଙ୍କ ନାଁ ରହିଛି, ଯେଉଁମାନଙ୍କର ବର୍ତ୍ତମାନର ରାଜ୍ୟ ସଂଘଗୁଡ଼ିକ ସହ ପ୍ରାୟତଃ ସଂପର୍କ ନାହିଁ। ଏପରିକି ଗୋଟିଏ ରାଜ୍ୟ ସଂଘ ଅନ୍ୟ ରାଜ୍ୟର ଖେଳାଳି ଓ କର୍ମକର୍ତ୍ତାଙ୍କୁ ନିଜର ପ୍ରତିନିଧି କରିଛନ୍ତି। ତେବେ ଡବ୍ଲ୍ୟୁଏଫଆଇ ସମ୍ବିଧାନ ଅନୁସାରେ ରାଜ୍ୟ ସଂଘର କାର୍ୟ୍ୟକାରିଣୀ ସଦସ୍ୟମାନେ ହିଁ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। ହେଲେ ଭୋଟର ତାଲିକାରେ ରାଜ୍ୟସଂଘଗୁଡ଼ିକ ଏହି ନିୟମକୁ ଉଲ୍ଲଂଘନ କରି ବାହାର ରାଜ୍ୟର ପୂର୍ବତନ ଖେଳାଳି ଓ କର୍ମକର୍ତ୍ତାଙ୍କ ନାଁ ଭୋଟର ତାଲିକାରେ ସ୍ଥାନ ଦେବା ଲାଗି ସୁପାରିସ୍ କରିଥିବା ଦେଖିବାକୁ ମିଳିଛି।

ଓଡ଼ିଶା କୁସ୍ତି ମହାସଂଘ ମଧ୍ୟ ରାଜ୍ୟ ବାହାରର ଜଣେ ପୂର୍ବତନ ଖେଳାଳିଙ୍କ ନାଁ ସୁପାରିସ୍ କରି ତାଙ୍କୁ ରାଜ୍ୟର ପ୍ରତିନିଧିତ୍ବ କରିବା ଅଧିକାର ଦେଇଛି। ଏହି ଖେଳାଳିଜଣକ ହେଲେ ହରିୟାଣାର ପୂର୍ବତନ ମହିଳା କୁସ୍ତି ତାରକା ଅନିତା ସେରଣ। ୩୮ ବର୍ଷୀୟା ସେରଣ ୨୦୧୦ ମସିହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବ୍ରିଜଭୂଷଣଙ୍କ ବିରୋଧରେ ଚାଲିଥିବା ଯୌନ ଶୋଷଣ ମାମଲାର ଅନ୍ୟତମ ସାକ୍ଷୀ ଅଛନ୍ତି। ସେ ମଧ୍ୟ ହରିୟାଣା ପୁଲିସରେ କାର୍ୟ୍ୟ କରୁଛନ୍ତି। ପୂର୍ବରୁ ଓଡ଼ିଶା କୁସ୍ତି ସଂଘ ଭୋଟର ତାଲିକା ଲାଗି ସଂପାଦକ କିଶୋର କୁମାର ବେହେରା ଓ କୋଷାଧ୍ୟକ୍ଷ କୁମାର ରାଏଙ୍କ ନାମ ସୁପାରିସ କରିଥିଲା। ହେଲେ ଅସ୍ଥାୟୀ ସମିତି ପ୍ରତିନିଧିଙ୍କ ନାମ ପଠାଇବାର ଶେଷ ତାରିଖ ୧୯ ଜୁନରୁ ୨୧ ଜୁନକୁ ବଢ଼ାଇବା ପରେ ସଂଘ ତା’ର ମତ ବଦଳାଇ କୋଷାଧ୍ୟକ୍ଷଙ୍କ ପରିବର୍ତ୍ତେ ଭୋଟର ତାଲିକାରେ ଅନିତାଙ୍କ ନାମ ସାମିଲ କରିବାକୁ ଅନୁରୋଧ କରିଥିଲା। ଯାହାକୁ ଡବ୍ଲ୍ୟୁଏଫଆଇ ଅସ୍ଥାୟୀ ସମିତି ଓ ରିଟର୍ଣ୍ଣିଂ ଅଫିସର ମାନି ନେଇଥିଲେ।

ଜମ୍ମୁ କାଶ୍ମୀର ଉଚ୍ଚନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ତଥା ରିଟର୍ଣ୍ଣି ଅଫିସରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଡବ୍ଲ୍ୟୁଏଫଆଇ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଚଳିତ ମାସ ୨୮ରୁ ୩୧ ତାରିଖ ପର୍ୟ୍ୟନ୍ତ ଦାଖଲ କରାଯାଇପାରିବ। ଅଗଷ୍ଟ ୧୨ରେ ଭୋଟ ଗ୍ରହଣ ହେବା ସହ ସେହିଦିନ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ। ଏଥିଲାଗି ପ୍ରାଥମିକ ଭୋଟର ତାଲିକାରେ ୫୦ଜଣଙ୍କ ନାଁ ସ୍ଥାନ ପାଇଛି। ବିବାଦ ଚାଲିଥିବା ଅନ୍ୟକେତେକ ସଂଘର ପ୍ରତିନିଧିଙ୍କ ନାଁ ପରବର୍ତ୍ତୀ ସମୟରେ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି।

Related posts

କୁସ୍ତିଯୋଦ୍ଧାଙ୍କ ପାଇଁ ମୁଜାଫରନଗରରେ ବସିବ ମହାପଞ୍ଚାୟତ; ଚାଷୀନେତାଙ୍କ ଅଧ୍ୟକ୍ଷତାରେ ବୈଠକ

Odisha Sports Bureau

କୁସ୍ତିଯୋଦ୍ଧାଙ୍କ ବିଜେପି ମହିଳା ସାଂସଦଙ୍କୁ ଚିଠି

ଜାତୀୟ ଭାରୋତ୍ତୋଳନ ଶିବିର ଦୁଇ ମାସ ମୁମ୍ବାଇକୁ ସ୍ଥାନାନ୍ତର

Odisha Sports Bureau