ଲୀଡ୍ସ-: ହେଡିଂଲେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲ ଓ ଋଷଭ ପନ୍ତ ଦ୍ୱିତୀୟ ଇନିଂସରେ ଦମଦାର ଶତକ ହାସଲ କରି ଭାରତକୁ ମଜବୁତ ସ୍ଥିତିରେ ପହଞ୍ଚାଇଛନ୍ତି । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକ ଓ ସେମାନଙ୍କ ମଧ୍ୟରେ ୧୫୦ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ ଭାରତକୁ ୨୮୦ ରନରୁ ଅଧିକ ଅଗ୍ରଣୀ କରିଛି, ଯାହା ଇଂଲଣ୍ଡ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଦ୍ୱିତୀୟ ଇନିଂସରେ ରିଷଭ ପନ୍ତ ଓ କେ.ଏଲ ରାହୁଲଙ୍କ ଶତକ ସହାୟତାରେ ଭାରତ ୩୭୧ ରନ ବିଜୟ ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ହାତରେ ଆଉ ଗୋଟିଏ ଦିନ ଖେଳ ବାକି ରହିଛି । ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଭାରତୀୟ ବୋଲରଙ୍କୁ ଅନ୍ତିମ ଦିବସରେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ ପଡିବ । ପନ୍ତ ୧୧୮ ଓ ରାହୁଲ ୧୩୭ ରନ କରିଥିଲେ । ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୪ ୱିକେଟରେ ଦଳ ୨୮୭ ରନ କରିଥିବା ବେଳେ ୩୬୪ରେ ଅଲଆଉଟ ହୋଇ ଯାଇଥିଲା । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ କୌଣସି ୱିକେଟ୍ ନହରାଇ ୨୧ ରନ୍ କରିନେଇଛି ।
ତେବେ ଋଷଭ ପନ୍ତ ଗୋଟିଏ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ହାସଲ କରି ଇତିହାସ ରଚିଛନ୍ତି । ସେ ପ୍ରଥମ ଇନିଂସରେ ୧୩୪ ରନ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୩୦ ବଲରେ ନିଜର ଅଷ୍ଟମ ଟେଷ୍ଟ ଶତକ ପୂରଣ କରିଛନ୍ତି । ଏହା ସହ ସେ ଏକ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଓ ଏସୀୟ ଉଇକେଟକିପର ତଥା ଦ୍ୱିତୀୟ ବିଶ୍ୱ ଉଇକେଟକିପର ବନିଛନ୍ତି । ଅନ୍ୟପଟେ କେଏଲ ରାହୁଲ ନିଜର ନବମ ଟେଷ୍ଟ ଶତକ ସହ ଏକ ଅସାଧାରଣ ପ୍ରଦର୍ଶନ ଦେଖାଇଛନ୍ତି । ୨୦୨ ବଲରେ ସେ ଏହି ଶତକ ହାସଲ କରିଥିଲେ, ଯେଉଁଥିରେ ସେ ସଂଯମୀ ଓ ଆକର୍ଷଣୀୟ ବ୍ୟାଟିଂର ନମୁନା ଦେଖାଇଛନ୍ତି । ପ୍ରଥମ ଇନିଂସରେ ୪୨ ରନରେ ଆଉଟ ହେବା ପରେ ରାହୁଲ ଦ୍ୱିତୀୟ ଇନିଂସରେ ଧୈର୍ଯ୍ୟ ଓ କୌଶଳର ସହ ବ୍ୟାଟିଂ କରି ଇଂଲଣ୍ଡ ବୋଲରମାନଙ୍କୁ ପ୍ରତିହତ କରିଥିଲେ ।