ଆଇପିଏଲ-୧୯ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପାଞ୍ଚ ଥର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିବା ବେଳେ ମୁମ୍ବାଇ ପ୍ରଶଂସକ ବି ନିରାଶ ହୋଇଛନ୍ତି । ମୁମ୍ବାଇ ଏବେ ସୁଦ୍ଧା ୫ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୪ଟି ପରାଜୟ ସହ ମାତ୍ର ୨ ପଏଣ୍ଟ ପାଇଛି । ଦଳ କ୍ରମାଗତ ୪ଟି ମ୍ୟାଚ ହାରିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଗୁରୁବାର ୱାଙ୍ଖଡେ ଷ୍ଟାଡ଼ିୟମରେ ପଞ୍ଜାବ କିଙ୍ଗ୍ସ ନିକଟରୁ ପରାଜିତ ହେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏପରିକି ହାର୍ଦ୍ଦିକଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ବିଭିନ୍ନ ସ୍ତରରୁ ଦାବି ଡଠିଛି।

ପୂର୍ବତନ କ୍ରିକେଟର ମନୋଜ ତିୱାରୀ କହିଛନ୍ତି ଯେ, ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ମୁମ୍ବଇ ଇଣ୍ଡିଆନ୍ସ ୨୦୧୫ରୁ ୨୦୨୩ ପର୍ଯ୍ୟନ୍ତ ଏକାଧିକ ଟ୍ରଫି ଜିତିଥିଲା । ଏବେ ଦଳ ୩ ବର୍ଷ ହେବ କ୍ରମାଗତ ଭାବେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି । ହାର୍ଦ୍ଦିକ ଅଧିନାୟକ ହେବା ପରେ ଦଳର ପ୍ରଦର୍ଶନ ଦୁର୍ବଳତା ହୋଇଛି । ଏହାର ମୂଳ କାରଣ ଖୋଜିବାକୁ ପଡ଼ିବ। ହାର୍ଦ୍ଦିକ ଏବେ ଅଧିନାୟକ ପଦ ଛାଡି ରୋହିତଙ୍କୁ ହସ୍ତାନ୍ତର କରି ଦିଅନ୍ତୁ ବୋଲି ତିୱାରୀ କହିଛନ୍ତି। ଅନ୍ୟପକ୍ଷରେ ହାର୍ଦ୍ଦିକ ଯେଉଁଭଳି ଭାବେ ଦଳର ନେତୃତ୍ବ ନେବା କଥା ସେଭଳି ନେଉନାହାନ୍ତି । ଅଧିନାୟକ ହିସାବରେ ଅଧିକ ସକ୍ରିୟ ହେବା ଅତ୍ୟାନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି କୌଣସି ସମାଧାନ ଜରୁରୀ ତା ହେଲେ ହାର୍ଦ୍ଦିକ ଅଧିନାୟକ ପଦ ଛାଡ଼ିବା କଥା ବୋଲି କହିଛନ୍ତି ମନୋଜ ତିୱାରୀ ।

