ଏସିଆନ୍ ପାରା ଗେମ୍ସ ୨୦୨୬ରେ ଭାରତକୁ ମିଳିଛି ଆଉ ଏକ ସଫଳତା। ଆର୍ଚ୍ଚେରୀର କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ଯୋଡ଼ି ଶୀତଲ ଦେବୀ ଓ ଟୋମନ୍ କୁମାର। ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଇଣ୍ଡୋନେସିଆର ଥିଓଡୋରା ଅଡି ଆୟୁଡିଆ ଫେରେଲି ଓ କେନ୍ ସ୍ୱାଗୁମିଲଙ୍ଗଙ୍କୁ ୧୫୧-୧୪୮ ପଏଣ୍ଟରେ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏହି ଯୋଡ଼ି। ଚଳିତ ପ୍ରତିଯୋଗିତାରେ ଆର୍ଚ୍ଚେରୀରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣ ପଦକ। ଏଥିସହ ଭାରତର ମୋଟ ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୬ରେ ପହଞ୍ଚିଛି।
ଫାଇନାଲ୍ର ଆରମ୍ଭରୁ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ ରାଉଣ୍ଡରେ ଭାରତୀୟ ଯୋଡ଼ି ୩୮-୩୭ରେ ମାତ୍ର ଗୋଟିଏ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ୩୯ ପଏଣ୍ଟ ସ୍କୋର କରି ଭାରତ ନିଜ ସ୍ଥିତିକୁ ଆହୁରି ମଜବୁତ କରିଥିଲା। ଫଳରେ ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଭାରତର ସ୍କୋର ୭୭-୭୩ ହୋଇଥିଲା।

ତୃତୀୟ ରାଉଣ୍ଡରେ ଶୀତଲ ଓ ଟୋମନ୍ ୩୬ ପଏଣ୍ଟ ହାସଲ କରିଥିଲେ ମଧ୍ୟ ନିଜ ଅଗ୍ରଣୀ ବଜାୟ ରଖିଥିଲେ। ଶେଷ ରାଉଣ୍ଡରେ ଦମ୍ଦାର ପ୍ରଦର୍ଶନ କରି ୩୮ ପଏଣ୍ଟ ହାସଲ କରିବା ସହ ଇଣ୍ଡୋନେସିଆକୁ ପଛରେ ପକାଇଥିଲେ ଭାରତୀୟ ତୀରନ୍ଦାଜ। ଶେଷରେ ୧୫୧-୧୪୮ ପଏଣ୍ଟରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲେ ଶୀତଲ ଦେବୀ ଓ ଟୋମନ୍ କୁମାର। ଏହି ବିଜୟ ଭାରତୀୟ ପାରା ତୀରନ୍ଦାଜୀ ପାଇଁ ଏକ ବଡ଼ ଉପଲବ୍ଧି। ଶୀତଲ ଓ ଟୋମନ୍ଙ୍କ ଚମତ୍କାର ପ୍ରଦର୍ଶନ ଭାରତର ପଦକ ତାଲିକାକୁ ଆହୁରି ସମୃଦ୍ଧ କରିବା ସହ ଦେଶ ପାଇଁ ଗୌରବ ଆଣିଛି।
