Cricket

ବଡ଼ ଖବର, ନାମିବିଆ ବିପକ୍ଷ ମ୍ୟାଚରେ ବଦଳିବ ପ୍ଲେଇଂ-୧୧, ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଜବରଦସ୍ତ ପ୍ରଦର୍ଶନ କରୁଛି। ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବଡ଼ ସ୍କୋର ନ କରିପାରିଲେ ମଧ୍ୟ ବୋଲରମାନଙ୍କ ଦମଦାର ଖେଳରେ ଟିମ୍ ଇଣ୍ଡିଆ ସହଜ ବିଜୟ ହାସଲ କରିଥିଲା। କିନ୍ତୁ ସେହି ମ୍ୟାଚ୍‌ରେ ଓପନର ଅଭିଷେକ ଶର୍ମା ବିନା କୌଣସି ରନ୍‌ରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ, ଯାହା ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଆଗାମୀ ଦିନରେ ପାକିସ୍ତାନ ବିପକ୍ଷରେ ଭାରତର ମହାମୁକାବିଲା ରହିଛି। ସେଥିପାଇଁ ଅଭିଷେକଙ୍କ ଫର୍ମକୁ ଫେରିବା ଅତ୍ୟାବଶ୍ୟକ। ହେଲେ ବର୍ତ୍ତମାନ ସେ ପେଟ ଜନିତ ସମସ୍ୟାରେ ପୀଡିତ ଥିବାରୁ ଅଭ୍ୟାସରୁ ଦୂରେ ରହିଛନ୍ତି। ବିସିସିଆଇ ସୂଚନା ଅନୁଯାୟୀ, ଅଭିଷେକଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କ ଚିକିତ୍ସା ଚାଲିଛି।

ରିପୋର୍ଟ ଅନୁସାରେ, ଗତ ସୋମବାର ସେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ଏହି କାରଣରୁ ବୁଧବାର ଓ ଗୁରୁବାର ସେ ପ୍ରାକ୍ଟିସ୍ ସେସନ୍‌ରେ ଯୋଗ ଦେବେ ନାହିଁ। ଭାରତୀୟ ଦଳର ସହାୟକ କୋଚ୍ ରିୟାନ୍ ଟେନ୍ କହିଛନ୍ତି ଯେ, ଅଭିଷେକଙ୍କୁ ବିଶ୍ରାମ ଦରକାର ଏବଂ ସେ ଧୀରେ ଧୀରେ ସୁସ୍ଥ ହେଉଥିଲେ ମଧ୍ୟ ବୁଧବାର ସ୍ୱାସ୍ଥ୍ୟ ସମସ୍ୟା କିଛିଟା ବଢ଼ିଥିଲା। ସେହିପାଇଁ ସତର୍କତାମୂଳକ ଭାବେ ତାଙ୍କୁ ହସ୍ପିଟାଲରେ ରଖାଯାଇଛି। ତାଙ୍କ ଅନୁପସ୍ଥିତିରେ ୱାଶିଂଟନ ସୁନ୍ଦର ଅଭ୍ୟାସ କରୁଛନ୍ତି। ଯଦି ଅଭିଷେକ ସମୟରେ ସୁସ୍ଥ ହେବେ ନାହିଁ, ତେବେ ନାମିବିୟା ବିପକ୍ଷ ମ୍ୟାଚ୍‌ରୁ ସେ ବାଦ୍ ପଡ଼ିପାରନ୍ତି।

ଅନ୍ୟପଟେ ଟିମ୍ ପାଇଁ ସକାରାତ୍ମକ ଖବର ହେଉଛି ଯେ, ଦ୍ରୁତ ବୋଲର ଜସପ୍ରିତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି। ତାଙ୍କ ଜ୍ୱର ସୁସ୍ଥ ହୋଇଯାଇଛି ଏବଂ ସେ ନେଟ୍‌ସରେ ଜୋରଦାର ଅଭ୍ୟାସ କରିଛନ୍ତି। ବୁଧବାର ସେ ସୂର୍ଯ୍ୟକୁମାର ଯାଦବଙ୍କୁ ବୋଲିଂ କରିଥିଲେ ଏବଂ ତାଙ୍କର ଲାଇନ୍-ଲେଙ୍ଥ୍ ସଠିକ୍ ଥିଲା। ବ୍ୟାଟିଂ ବିଭାଗରେ ସୂର୍ଯ୍ୟକୁମାର ଯାଦବ ଓ ତିଲକ ବର୍ମା ମଧ୍ୟ ଜୋରଦାର ପ୍ରାକ୍ଟିସ୍ କରିଛନ୍ତି। ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନେଟ୍‌ସରେ ଖୁବ୍ ଝାଳ ବୁହାଇଛନ୍ତି। ବିଶ୍ୱସ୍ତରୀୟ ବ୍ୟାଟରମାନଙ୍କୁ ଚକମା ଦେବାର କ୍ଷମତା ଥିବାରୁ ସେ ଦଳ ପାଇଁ ଏକ ମୁଖ୍ୟ ଅସ୍ତ୍ର ଭାବେ ଦେଖାଯାଉଛନ୍ତି। ଏବେ ସମସ୍ତଙ୍କ ଆଶା ଯେ, ଅଭିଷେକ ଶୀଘ୍ର ସୁସ୍ଥ ହୋଇ ଅଭ୍ୟାସକୁ ଫେରିବେ। ଯଦି ନାମିବିୟା ବିପକ୍ଷରେ ସେ ବିଶ୍ରାମ ପାଆନ୍ତି, ତେବେ ପାକିସ୍ତାନ ବିପକ୍ଷ ମହାମୁକାବିଲା ପୂର୍ବରୁ ତାଙ୍କୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରେ। ଫ୍ୟାନ୍‌ମାନେ ଆଶା କରୁଛନ୍ତି ଯେ, ସେ ଫିଟ୍ ହୋଇ ଦଳକୁ ଦମଦାର ଆରମ୍ଭ ଦେବେ।

Related posts

ପଞ୍ଜାବ କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ ପ୍ରେମୀ

Odisha Sports Bureau

ନୂଆ ଜର୍ସିରେ ବିରାଟ

Odisha Sports Bureau

୫ ମାସରେ ନାଡା ସଂଗ୍ରହ କରିଛି ୫୮ ନମୁନା , ଜାଦେଜା ସର୍ବାଧିକ ପରୀକ୍ଷିତ କ୍ରିକେଟର

Odisha Sports Bureau