Cricket

ପାଞ୍ଚଭାଇଙ୍କ କୀର୍ତ୍ତିମାନ: ଓଡ଼ିଶା କ୍ରିକେଟର ପଞ୍ଚୁ ପାଣ୍ଡବ

ଭୁବନେଶ୍ବର:   ଓଡ଼ିଶା କ୍ରିକେଟରେ ଏଭଳି ଏକ ଅନାଲୋଚିତ ଫର୍ଦ୍ଦ ରହିଛି ଯାହା ଅନେକଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେବ। ଜେନା ବ୍ରଦର୍ସ ଭାବେ ଓଡ଼ିଶା ପାଇଁ ରଣଜୀ ଟ୍ରଫି ତଥା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ୫ ଭାଇ। ଯାହା ବିରଳ କୃତିତ୍ବ ହୋଇ ରହିଛି। ଏହି ୫ ଭାଇ ବିରଳ ରେକର୍ଡର ମଧ୍ୟ ଅଧିକାରୀ ଅଛନ୍ତି। ଗୋଟିଏ ପିତାମାତାଙ୍କଠୁ ଜନ୍ମିତ ୫ ଭାଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାରେ ଏହା ଏକ ବିଶ୍ବ ରେକର୍ଡ। ଇଂଲଣ୍ଡର ୭ ଲିଟଲଟନ୍ ଭ୍ରାତା ଏବଂ ପାକିସ୍ତାନର ୫ ମହମ୍ମଦ ଭ୍ରାତା ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିବାର ନଜିର ଥିଲେ ବି ସେମାନେ ସଭିଏଁ ଭିନ୍ନ ମା’ଙ୍କଠାରୁ ଜନ୍ମିତ ହୋଇଥିବାରୁ ଜେନା ବ୍ରଦର୍ସ ବିଶ୍ବ କୀର୍ତ୍ତିମାନର ହକଦାର ହୁଅନ୍ତି। ଏ ସମ୍ପର୍କରେ କୌଣସି ଆନୁଷ୍ଠାନିକ ରେକର୍ଡ ନଥିଲେ ମଧ୍ୟ ଏହି ୫ ଭାଇଙ୍କ କାହାଣୀ ଓଡ଼ିଶା କ୍ରିକେଟ୍ ପ୍ରତି ଥିବା ଗୋଟିଏ ପରିବାରର ରୋମାଞ୍ଚଭରା କାହାଣୀ କହୁଛି। ଏହି ସୌଭାଗ୍ୟବନ୍ତ ୫ ଭାଇ ହେଲେ-ବିବେକାନନ୍ଦ ଜେନା, ବିଶୁଦ୍ଧାନନ୍ଦ ଜେନା, ଆଲୋକାନନ୍ଦ ଜେନା, ଅଶୋକାନନ୍ଦ ଜେନା, ଚିନ୍ମୟାନନ୍ଦ ଜେନା।

ତକ୍ରାଳୀନ ବାଲେଶ୍ବର ଜିଲା ଏବଂ ବର୍ତମାନର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ଏକ ଆଭ୍ୟନ୍ତରୀଣ ଗାଁ ହେଉଛି କଲ୍ୟାଣୀ। ସେହି ଗାଁର ମୂଳଅଧିବାସୀ ମୁରଲୀଧର ଜେନା ଏବଂ ବସନ୍ତ ମଞ୍ଜରୀ ଜେନାଙ୍କ ଥିଲେ ୭ ପୁଅ ଓ ୫ ଝିଅ । ମୁରଲୀଧର ବୃତ୍ତିରେ ଥିଲେ ଅବକାରୀ ଅଧୀକ୍ଷକ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ନିଯୁକ୍ତି ଓ ଅବସ୍ଥାନ କାରଣରୁ ପିଲାମାନଙ୍କ ଜନ୍ମ ମଧ୍ୟ ସ୍ବାଭାବିକ ଭାବେ ଥିଲା ଅଲଗା ଅଲଗା ସହରରେ।

୧୯୩୭ ମସିହାରେ ଜନ୍ମିତ ବିବେକାନନ୍ଦ ଓଡ଼ିଶା ପାଇଁ ୧୯୬୧-୬୨ରୁ ୧୯୬୬-୬୭ ଋତୁ ମଧ୍ୟରେ ଖେଳିଥିଲେ ୨ ମ୍ୟାଚ୍। ଜଣେ ଡାହାଣହାତୀ ବ୍ୟାଟର୍ ଓ ସାମୟିକ ୱିକେଟରକ୍ଷକ ଭାବେ ଖେଳିଥିଲେ। ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍ ଥିଲା ୧୫ ରନ୍।

୧୯୩୯ ମସିହାରେ ଜନ୍ମିତ ବିଶୁଦ୍ଧାନନ୍ଦ ୫ କ୍ରିକେଟର ଭାଇଙ୍କ ମଧ୍ୟରୁ ସର୍ବପ୍ରଥମେ ରଣଜୀ ଟ୍ରଫି ଖେଳିଥିଲେ। ଡାହାଣହାତୀ ବ୍ୟାଟର୍ ମଧ୍ୟମଗତି ବୋଲର ଏବଂ ସାମୟିକ ୱିକେଟରକ୍ଷକ ଭାବେ ୧୯୫୭-୫୮ ମଧ୍ୟରୁ ୧୯୬୯-୭୦ ଋତୁ ମଧ୍ୟରେ ୫ ଭାଇଙ୍କ ମଧ୍ୟରେ ସର୍ବାଧିକ ୩୩ ମ୍ୟାଚ୍ ଖେଳିଥିଲେ। ୬୩ ପାଳିରୁ ୧୩୬୧ ରନ୍ ସଂଗ୍ରହ କରିଥିଲେ। ଯାହା ମଧ୍ୟରେ ଗୋଟିଏ ଶତକ (୧୧୦) ଏବଂ ୬ ଅର୍ଦ୍ଧଶତକ ସାମିଲ ଥିଲା।

ଭାନୁ ଭାଇ ଭାବେ ପରିଚିତ ଆଲୋକାନନ୍ଦ ଥିଲେ ଜଣେ ମଧ୍ୟଭାଗ ବ୍ୟାଟର୍ ଏବଂ ଅଫସ୍ପିନର୍। ଓଡ଼ିଶା ପାଇଁ ୧୯୬୨-୬୩ରୁ ୧୯୭୦-୭୧ ମସିହା ମଧ୍ୟରେ ୨ଟି ରଣଜୀ ଟ୍ରଫି ମ୍ୟାଚ୍ ଏବଂ ୫ଟି କୁଚବେହାର ଟ୍ରଫି ମ୍ୟାଚ୍ ଖେଳିଥିଲେ। ରଣଜୀ ଟ୍ରଫିରେ ବିଶେଷ ଛାପ ଛାଡ଼ିପାରିନଥିଲେ। ଆସାମ ଓ ବିହାର ବିପକ୍ଷରେ ଖେଳିଥିବା ୨ ମ୍ୟାଚର ୪ ପାଳିରୁ ୪.୫ ହାରରେ ୯ ରନ୍ କରିବା ସହ ଗୋଟିଏ ୱିକେଟ୍ ମଧ୍ୟ ନେଇଥିଲେ। ପୂର୍ବାଞ୍ଚଳ ସ୍କୁଲ୍ ଦଳ ପାଇଁ କିନ୍ତୁ ସେ ଖେଳିଥିବା ୫ଟି ଯାକ କୁଚବେହାର ଟ୍ରଫି ମ୍ୟାଚ୍ରେ ୨୧ ୱିକେଟ୍ ନେବା ଏବଂ ୪୯ ରନ୍ କରିଥିଲେ। ହାଇଦ୍ରାବାଦରେ ଦକ୍ଷିଣାଞ୍ଚଳ ସ୍କୁଲ୍ ବିପକ୍ଷ ସେମିଫାଇନାଲ୍ ମ୍ୟାଚରେ ୯ ୱିକେଟ୍ ଦଖଲ କରିବା ଥିଲା ସବୁଠାରୁ ଉଲ୍ଲେଖନୀୟ।

ଓଡ଼ିଶା କ୍ରିକେଟର ଅନ୍ୟତମ ସଫଳତମ ଭାଇ ହେଲେ ଅଶୋକାନନ୍ଦ ଜେନା। ଡାହାଣହାତୀ ବ୍ୟାଟର୍ ଏବଂ ବାମହାତୀ ସ୍ପିନର୍ ଭାବେ ଓଡ଼ିଶା ପାଇଁ ୧୯୬୧-୬୨ରୁ ୧୯୭୩-୭୪ ମଧ୍ୟରେ ୨୬ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। ୫୨ ପାଳିରୁ ୨୧.୨୫ ହାରରେ ୭ ଅର୍ଦ୍ଧଶତକ ସହିତ ୧୦୨୦ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ବେଙ୍ଗଲ୍ ବିପକ୍ଷରେ ଗୋଟିଏ ମ୍ୟାଚର ଦୁଇଟିଯାକ ପାଳିରେ ଅର୍ଦ୍ଧଶତକ ସବୁଠାରୁ ଉଲ୍ଲେଖନୀୟ ଥିଲା। ୧୨ଟି ପ୍ରଥମ ଶ୍ରେଣୀ ୱିକେଟ୍ ମଧ୍ୟ ତାଙ୍କ ନାମରେ ରହିଛି।

ସବୁଠୁ ସାନ ଭାଇ ଚିନ୍ମୟାନନ୍ଦ ଜେନା ବାମହାତୀ ବ୍ୟାଟର୍ ଭାବେ ୧୯୭୩-୭୪ ଗୋଟିଏ ମାତ୍ର ଋତୁରେ ଖେଳିଥିଲେ। ସେ ୫ ମ୍ୟାଚ୍ ଖେଳିଥିଲେ ମଧ୍ୟ କ୍ରିକେଟ୍ ରେକର୍ଡରେ ଏହା ଅନ୍ୟ ଜଣେ ଭାଇଙ୍କ ନାମରେ ଚଢ଼ିଯାଇଥିବାରୁ ଏହା ଗୋଟିଏରେ ସୀମିତ ରହିଛି। କ୍ରିକେଟ୍ ଜୀବନ ସଂକ୍ଷିପ୍ତ ଥିଲେ ମଧ୍ୟ ଓଡ଼ିଶା କ୍ରିକେଟ୍ ପ୍ରତି ଚିନ୍ମୟାନନ୍ଦଙ୍କ ଅବଦାନ ବହୁତ ଅଧିକ । ୨୦୦୩ ମସିହାରୁ ଦୀର୍ଘ ୨୦ବର୍ଷ ହେଲରାଣି ଅଦ୍ୟାବଧି ଓଡ଼ିଶା କ୍ରିକେଟ୍ ସଂଘର ବିଭିନ୍ନ ଦାୟିତ୍ବ ନିରନ୍ତର ଭାବେ ତୁଲାଇ ଆସିଛନ୍ତି । ଓସିଏର ଉପସଭାପତି, ଚୟନ ସମିତି ଅଧ୍ୟକ୍ଷ, ଓସିଏ ନିଉଜ ଲେଟରର ମୁଖ୍ୟ ସମ୍ପାଦକ ଦାୟିତ୍ବ ସହିତ ସମ୍ପ୍ରତି ସେ ସଂଘର କ୍ରିକେଟ୍ ପରାମର୍ଶଦାତା ସମିତିର ବରିଷ୍ଠତମ ସଦସ୍ୟ ଅଛନ୍ତି।

Related posts

ଆଉ ନଜର ଆସିବେନେ ସାଉଥ ଆଫ୍ରିକାର ଅମ୍ପାୟାର ମରାଇସ୍ ଇରାସ୍ମସ୍

Odisha Sports Bureau

ପୁଣେରେ ମୁହାଁମୁହିଁ ହେବେ ଇଂଲଣ୍ଡ – ନେଦରଲାଣ୍ଡ

Odisha Sports Bureau

ପୁଣି ନମ୍ବର ୱାନ ଇଣ୍ଡିଆ

Odisha Sports Bureau

Leave a Comment