ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଭବିଷ୍ୟତ କୁହାଯାଉଥିବା ଯୁବ ବ୍ୟାଟର୍ ଶୁବମନ ଗିଲ୍ ଆଇପିଏଲ୍ ଫର୍ମକୁ ଓଭାଲ୍ରେ ଦୋହରାଇବା ଲକ୍ଷ୍ୟରେ ଅଛନ୍ତି। ଗତ ଆଇପିଏଲ୍ରେ ସେ ଯେଉଁଭଳି ପ୍ରଦର୍ଶନ ଦେଇଛନ୍ତି, ଚଳିତ କ୍ରିକେଟ୍ ଋତୁ ତାଙ୍କ ବିନା ଆଲୋଚ୍ୟ ହୋଇପାରିବନି। ଏପରିକି କ୍ରିକେଟ୍ ଦୁନିଆ ତାଙ୍କୁ ବିରାଟ କୋହଲିଙ୍କ ଉତ୍ତରାଧିକାରୀ ଭାବେ ଆକଳନ କରିବା ଆରମ୍ଭ କଲାଣି। ୧୦ ବର୍ଷ ପୂର୍ବେ ସଚିନ୍ ତେନ୍ଦୁଲକରଙ୍କ ଉତ୍ତରାଧିକାରୀ ଭାବେ କୋହଲି ଭାରତୀୟ କ୍ରିକେଟ୍କୁ ଆଗେଇ ନେଇଛନ୍ତି। ଶୁବମନ ଗିଲ୍ଙ୍କୁ ସବୁ ଫର୍ମାଟ୍ରେ ନିଜକୁ କୋହଲିଙ୍କ ଉତ୍ତରାଧିକାରୀ ଭାବେ ପ୍ରମାଣିତ କରିବାକୁ ପଡ଼ିବ। ଟ୍ବେଣ୍ଟି-୨୦ କ୍ରିକେଟ୍ ପ୍ରଦର୍ଶନ ସମସ୍ତେ ଦେଖିସାରିବା ପରେ ଏବେ ଟେଷ୍ଟ ମ୍ୟାଚ୍ରେ ତାହାକୁ ବଜାୟ ରଖିବା ବଡ଼ ଆହ୍ବାନ ରହିବ। ତେଣୁ ବିଶ୍ବ ଟେଷ୍ଟ ଚାମ୍ପିଅନ୍ସିପ୍ (ଡବ୍ଲୁଟିସି) ଫାଇନାଲ୍ରେ ସମସ୍ତଙ୍କ ନଜର ଶୁବମନଙ୍କ ଉପରେ ରହିବ।
କୋହଲିଙ୍କ ଦାୟିତ୍ବ ଗ୍ରହଣ କରିବା ସମୟ ତୁଳନାରେ ଗିଲ୍ଙ୍କ ସମୟ ସାମାନ୍ୟ କଠିନ ହୋଇପାରେ। କାରଣ କୋହଲି ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସୁଥିଲେ। କିନ୍ତୁ ଗିଲ୍ ପ୍ରାରମ୍ଭିକ ବ୍ୟାଟର ଭାବେ ଖେଳିବେ। ଇଂଲଣ୍ଡ ପରିସ୍ଥିତିରେ ନାଲି ବଲ୍ କ୍ରିକେଟ୍ରେ ପ୍ରାରମ୍ଭିକ ବ୍ୟାଟରଙ୍କ କ୍ଷେତ୍ରରେ ବିଫଳତା ଆଶଙ୍କା ଅଧିକ ଥାଏ। ଓଭାଲ୍ ପିଚ୍ ସତେଜ ଥିବା ବେଳେ ସାମାନ୍ୟ ବାଦଲ ଉପରେ ରହିବ। ତେଣୁ ବଲ୍ ହଲଚଲ୍ ହେବା ସ୍ବଭାବିକ। ଏଭଳି ସ୍ଥିତିରେ ମିଚେଲ୍ ଷ୍ଟାର୍କ ଓ ଜୋସ୍ ହାଜଲଉଡ୍ଙ୍କୁ ସାମ୍ନା କରିବା ଗିଲ୍ଙ୍କ ପାଇଁ ସହଜ ହେବନି। ପୂର୍ବତନ କ୍ରିକେଟର ଡବ୍ଲୁଭି ରମଣ କହିଛନ୍ତି ଯେ, କ୍ରିକେଟ୍ ଏକ ମନସ୍ତାତ୍ତ୍ବିକ ଖେଳ ଏବଂ ଯେତେବେଳେ ଜଣେ ସକରାତ୍ମକ ମନୋଭାବ ନେଇ ଖେଳିଥାଏ, ସେତେବେଳେ ସଫଳତାର ହାର ଅଧିକ ଥାଏ ବୋଲି ରମଣ କହିଛନ୍ତି।
