Cricket

ଶ୍ରୀଜଗନ୍ନାଥ କ୍ରିକେଟ୍ ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ : ପୁରୀ ପେଣ୍ଠକଟାରେ ପ୍ରସ୍ତୁତି ହୋଇଯାଇଛି ଶ୍ରୀଜଗନ୍ନାଥ କ୍ରିକେଟ୍‌‌ ଷ୍ଟାଡିୟମ। ଖୁବ୍‌‌ଶୀଘ୍ର ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପେଣ୍ଠକଟାରେ ୧୩.୬୭୦ ଏକର ଜମିରେ ଶ୍ରୀଜଗନ୍ନାଥ କ୍ରିକେଟ୍‌‌ ଷ୍ଟାଡିୟମର ଭିତ୍ତିପ୍ରସ୍ତର ପଡ଼ିଥିଲା। ୨୦୧୮ରେ ଏହି ଷ୍ଟାଡିୟମ କାମ ଆରମ୍ଭ କରାଯାଇଥିଲା। ଦିଲ୍ଲୀର ୱାପ୍‌‌କ୍ସ ସଂସ୍ଥା ଏହାର ନିର୍ମାଣ ଦାୟତ୍ୱି ନେଇଥିଲା। ନିର୍ମାଣ ଚାଲିଥିବା ବେଳେ କାମକୁ କିପରି ତ୍ୱରାନ୍ୱିତ କରାଯାଇପାରିବ ସେ ନେଇ ମନ୍ତ୍ରୀ, ଅଧିକାରୀ ବାରମ୍ବାର ପୁରୀ ଆସି ଏହାର ସମୀକ୍ଷା କରିଛନ୍ତି। କ୍ରୀଡ଼ାମନ୍ତ୍ରୀ, ‘୫-ଟି’ ସଚିବ, କ୍ରୀଡ଼ା ସଚିବ ପ୍ରମୁଖ ଏକାଧିକ ଥର ଷ୍ଟାଡିୟମକୁ ଆସି କାମ ବୁଲି ଦେଖିବା ସହ ନିର୍ମାଣକାରୀ ସଂସ୍ଥାକୁ ଶୀଘ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାରମ୍ଭିକ ଭାବେ ୩୪ କୋଟି ୨୭ ଲକ୍ଷ ଟଙ୍କା ବ୍ୟୟବରାଦରେ କାମ ଆରମ୍ଭ ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୭୦ କୋଟିରୁ ଊର୍ଦ୍ଧ୍ବ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏଠାରେ କ୍ରିକେଟ୍‌‌, ଜିମ୍ନାଷ୍ଟିକ୍‌‌ ଏବଂ ସୁଇମିଂ ପାଇଁ ସୁବିଧା କରାଯାଇଛି। ଏହି ଷ୍ଟାଡ଼ିୟମରେ ଉଚ୍ଚକୋଟିର କ୍ରିକେଟ୍‌‌ ଗ୍ରାଉଣ୍ଡ, ପାଭିଲିୟନ୍‌‌, ଇଣ୍ଡୋର ହଲ୍‌‌, ସୁଇମିଂ ପୁଲ୍‌‌, ୧୦୦ ଶଯ୍ୟା ବିଶିଷ୍ଟ ସ୍ପୋର୍ଟ୍ସ ହଷ୍ଟେଲ୍‌‌ ପାର୍କିଂ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି। ଭାରତୀୟ କ୍ରିକେଟ୍‌‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତତ୍ତ୍ୱାବଧାନରେ କଲିକତାରୁ କ୍ୟୁରେଟର ଆସି କ୍ରିକେଟ୍‌‌ ପିଚ୍‌‌ ପ୍ରସ୍ତୁତ କରିଛନ୍ତି। କ୍ରିକେଟ୍‌‌ ଖେଳ ପାଇଁ ୯ଟି ନେଟ୍‌‌ ପ୍ରାକ୍ଟିସ୍‌‌ ଏରିଆ ରହିଛି। ଏଠାରେ ଖେଳାଳୀମାନଙ୍କ ପାଇଁ ଚେଞ୍ଜିଙ୍ଗ ରୁମ୍‌‌, ୱାଶ୍‌‌ରୁମ୍‌‌, କିଚେନ, ଡାଇନିଂ ଆଦି ସୁବିଧା କରାଯାଇଛି। ସେହିପରି ଅଫିସିଆଲଙ୍କ ଲାଗି ମଧ୍ୟ ସମସ୍ତ ପ୍ରକାର ସୁବିଧା ଅଛି। ତା ସହିତ ୩/୪ ହଜାର ଦର୍ଶକ ବସିବା ପାଇଁ ଗ୍ୟାଲେରୀ କରାଯାଇଛି। ଏହି ଷ୍ଟାଡିୟମକୁ ଲାଗି ପ୍ରାୟ ୩ ଏକର ଜମି ବ୍ୟବହାର ହୋଇଥିବା ବେଳେ ଭବିଷ୍ୟତରେ ଏହାକୁ ଅନ୍ୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ତେବେ ଖୁବ୍‌‌ଶୀଘ୍ର ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ ଉଦଘାଟନ କରାଯିବ ବୋଲି ଜଣାପଡ଼ିଛି।

 

Related posts

ଅଙ୍ଗକ୍ରିଶ ରଘୁବଂଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ

Odisha Sports Bureau

ବଦଳିବ ଟେଷ୍ଟମ୍ୟାଚର ରୂପରେଖ

ପ୍ରଥମ ଦିନିକଆରେ ଭାରତ ଆଗରେ ୨୮୯ ର ବିଜୟ ଲକ୍ଷ୍ୟ

Odisha Sports Bureau