ଲଣ୍ଡନ: ସର୍ବିଆ ତାରକା ତଥା ଦ୍ବିତୀୟ ମାନ୍ୟତାପ୍ରାପ୍ତ ନୋଭାକ ଜୋକୋଭିକ୍ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ଖେଳାଯାଇଥିବା ୱିମ୍ବଲଡନ୍ ଟେନିସ୍ ପ୍ରତିଯୋଗିତାର ପୁରୁଷ ଏକକ ସେମିଫାଇନାଲରେ ଜୋକୋଭିକ୍ ୮ ନମ୍ବର ମାନ୍ୟତାପ୍ରାପ୍ତ ଇଟାଲିର ଜାନିକ୍ ସିନରଙ୍କୁ ୬-୩, ୬-୪, ୭-୬ ରେ ପରାସ୍ତ କରିଥିଲେ। ଫଳରେ ପ୍ରଥମ ଖେଳାଳି ଭାବେ ଗ୍ରାଣ୍ଡ ସ୍ଲାମ୍ ପୁରୁଷ ଏକକରେ ସର୍ବାଧିକ ୩୫ଥର ଫାଇନାଲରେ ପ୍ରବେଶ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଜୋକୋଭିକ । ଫାଇନାଲରେ ଜୋକୋଭିକ୍ ସ୍ପେନୀୟ ତାରକା ତଥା ବିଶ୍ବର ଏକ ନମ୍ବର ଖେଳାଳି କାର୍ଲୋସ ଆଲକାରାଜ ଗାର୍ଫିଆ କିମ୍ବା ତୃତୀୟ ମାନ୍ୟତାପ୍ରାପ୍ତ ରୁଷୀୟ ଖେଳାଳି ଡାନିଏଲ୍ ମେଡଭେଡେଭଙ୍କୁ ଭେଟିବେ।
ଶୁକ୍ରବାର ରାତିରେ ଦ୍ବିତୀୟ ସେମିଫାଇନାଲରେ ଆଲକାରାଜ ଓ ମେଡଭେଡେଭ ପରସ୍ପର ସହ ଖେଳିତିଲେ। ଆଲକାରାଜ ୬-୩, ୬-୩ରେ ପ୍ରଥମ ଦୁଇ ସେଟ୍ ଜିତିଛନ୍ତି। ଅପରପକ୍ଷେ କ୍ରୋଏସିଆର ମାତେ ପାଭିକ୍ ଓ ୟୁକ୍ରେନର ଲ୍ୟୁଦ୍ମିଲା କିଚେନକଙ୍କ ଯୋଡ଼ି ମିଶ୍ରିତ ଯୁଗଳ ବିଜେତା ହୋଇଛନ୍ତି। ଫାଇନାଲରେ ଏହି ସପ୍ତମ ସିଡ୍ ଯୋଡ଼ି ବେଲଜିୟମର ଜୋରାନ୍ ଭ୍ଲିଗେନ୍ ଓ ଚୀନର ଜୁ ୟିଫାନ୍ଙ୍କୁ ୬-୪, ୬-୭, ୬-୩ ରେ ପରାସ୍ତ କରିଥିଲେ ।