କୋଚ ଗୌତମ ଗମ୍ଭୀରଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ହେଉଛି । ଗୌତମ ଗମ୍ଭୀର ଜୁଲାଇ 2024 ରେ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏବେ ଭାରତୀୟ ଟେଷ୍ଟ ଟିମର କୋଚ୍ ଭାବେ ଗମ୍ଭୀର ଆଉ ନଜର ନଆସିପାରନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଯାହାକୁ ନେଇ କ୍ରିକେଟ ସମୀକ୍ଷକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି । ତାଙ୍କ କାର୍ଯ୍ୟକାଳ ଧଳା ବଲ୍ କ୍ରିକେଟରେ ପ୍ରଭାବଶାଳୀ ଫଳାଫଳ ଆଣିଛି, ଭାରତ ଟି20 ଏବଂ ଏକଦିବସୀୟ ଉଭୟରେ ଦୃଢ଼ ପ୍ରଦର୍ଶନ କରିଛି। ଦଳ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଚାମ୍ପିଅନ୍ସ ଟ୍ରଫି ଉଠାଇଥିଲା ଏବଂ ଟି-୨୦ ଫର୍ମାଟରେ ଏସିଆ କପ୍ ମଧ୍ୟ ଜିତିଥିଲା। ତଥାପି, ଭାରତର ଲାଲ ବଲ୍ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି। ସେମାନଙ୍କ ସଦ୍ୟତମ ଟେଷ୍ଟ ଆସାଇନମେଣ୍ଟରେ, ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ମାଟିରେ 0-2 ସିରିଜ୍ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକାଠାରୁ ଅତି ଲଜ୍ଜାଜନକ ଭାବେ ଟିମ୍ ଇଣ୍ଡିଆ ସିରିଜ ହାରିବା ପରେ ପରେ ପୂର୍ବତନ ବ୍ୟାଟର୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ବିସିସିଆଇ ଯୋଗାଯୋଗ କରିଛି ।

ଏପରିକି ତାଙ୍କୁ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ କୋଚ୍ କରିବାକୁ ବିସିସିଆଇ ଚାହୁଥିବା ଜଣାପଡ଼ିଛି । ଲକ୍ଷ୍ମଣ ଯଦି ସବୁଜ ସଙ୍କେତ ଦିଅନ୍ତି, ତାହେଲେ ଗମ୍ଭୀରଙ୍କ ଟେଷ୍ଟ୍ କୋଚ୍ କାର୍ଯ୍ୟକାଳ ଆଗୁଆ ଶେଷ ହୋଇପାରେ । କିନ୍ତୁ ଗମ୍ଭୀର ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳର କୋଚ୍ ରହିବେ । ଏବେ ସବୁକିଛି କେବଳ ଲକ୍ଷ୍ମଣଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି । ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ସୀମିତ ଓଭର କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଛି । ହେଲେ ଟେଷ୍ଟ୍ କ୍ରିକେଟରେ ସେନା ଦେଶ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ) ବିପକ୍ଷରେ ୧୦ଟି ମ୍ୟାଚ୍ ହାରି ସାରିଲାଣି ଟିମ୍ ଇଣ୍ଡିଆ । ଯାହା ବିସିସିଆଇକୁ ‘ଗମ୍ଭୀର’ ଭାବେ ଚିନ୍ତା କରିବାକୁ ବାଧ୍ୟ କରିଛି । ବଡ଼କଥା ହେଉଛି ଯେ ଗମ୍ଭୀରଙ୍କ କାର୍ଯ୍ୟକାଳ ୨୦୨୭ ଦିନିକିଆ କ୍ରିକେଟ୍ ବିଶ୍ବକପ୍ ପରେ ଶେଷ ହେବାର ଅଛି । ହେଲେ ତାଙ୍କ ଟେଷ୍ଟ କୋଚ୍ କ୍ୟାରିୟର ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ପାଇଁ ଅବଶିଷ୍ଟ ୯ଟି ଟେଷ୍ଟ୍ ଫୈସଲା କରିବ । ଏହି ଟେଷ୍ଟ୍ ଗୁଡ଼ିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କଲେ ବିସିସିଆଇ ତାଙ୍କୁ ହଟାଇବା ଯୋଜନାରୁ ଓହରି ଯାଇପାରେ ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି । କାରଣ ଗମ୍ଭୀରଙ୍କୁ ମଧ୍ୟ ବିସିସିଆଇର ଏକ କ୍ଷମତାଶାଳୀ ଗୋଷ୍ଠୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି । ଅବଶ୍ୟ ଭାରତୀୟ ଡ୍ରେସିଂ ରୁମ୍ରେ ଆଉ ଆଗଭଳି ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ନଥିବା ଅନେକ ସମୟରେ ଚର୍ଚ୍ଚାକୁ ଆସିଛି ।
