ରାଜ୍ୟର କ୍ରୀଡା ପ୍ରେମୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ କଟକରେ ଖେଳାଯିବ ଟି-୨୦ ମ୍ୟାଚ୍ । କଟକର ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟର ରୋମାଞ୍ଚ । କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚ୍ ଖେଳାଯିବ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ବିପକ୍ଷରେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ। ଏନେଇ BCCI ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ତେବେ ଆସନ୍ତା ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଡିସେମ୍ବର ମାସରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୃଙ୍ଖଳାର ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ODI ଓ ୩ଟି ଟି-୨୦ ଖେଳିବ ।

୩ ମ୍ୟାଚ୍ ଟି-୨୦ ସିରିଜ୍ର ଦ୍ବିତୀୟ ମ୍ୟାଚ୍ ବାରବାଟୀରେ ଖେଳିବ । ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ ଟି-୨୦ ଖେଳିବ ଶ୍ରୀଲଙ୍କା । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍ରେ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ଘରୋଇ ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ, ଏବଂ ଏହି ଫିକ୍ସର୍ ଦେଶବ୍ୟାପୀ ୧୭ଟି ସହରରେ ଆୟୋଜନ କରାଯିବ। ଏହି ସମୟ ମଧ୍ୟରେ ମୋଟ ଚାରୋଟି ଦଳ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ଅଛି । ଏଥିରେ ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ। କହିରଖୁଛୁ ଯେ, ଘରୋଇ ସିଜିନ୍ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି।
