Cricket

ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର : ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଆ ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର | ଦେଢ କୋଟିର ପୁରସ୍କାର ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏସୀୟ ହକିରେ ସ୍ୱର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟ ଅମିତ ରୋହିଦାସ | ଜାପାନ ବିପକ୍ଷ ଫାଇନାଲରେ ଗୋଲ ସ୍କୋର କରିଥିଲେ ଅମିତ | “ଅମିତ କେବଳ ଓଡ଼ିଶା ନୁହେଁ ଭାରତର ଯୁବପିଢିଙ୍କ ପାଇଁ ପ୍ରେରଣା” କହିଲେ ମୁଖ୍ୟମନ୍ତ୍ରୀ |

ସୂଚନାନୁସାରେ, ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂ ୧-୦ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ । ତୃତୀୟ କ୍ୱାର୍ଟରରେ ଭାରତର ଅଧିନାୟକ ମନଦୀପ ସିଂ ଭାରତ ପକ୍ଷରୁ ଦେଇଥିଲେ ଦ୍ୱିତୀୟ ଗୋଲ୍ । ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ ୩ନଂ ଗୋଲ ଦେଇଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଭାରତ ଦୁଇଟି ଗୋଲ ଦେଇଥିଲା । ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାସଲ କରିଛି ଭାରତୀୟ ହକି ଦଳ । ଦୀର୍ଘ ୯ବର୍ଷ ପରେ ଏହି ସଫଳତାର ସ୍ୱାଦ ଚାଖିଛି ଭାରତ ।

ଉଲ୍ଲେଖଯୋଗ୍ୟ, ଜାତୀୟ ଉପକନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ଅଞ୍ଚଳର ଅମିତ ସମସ୍ତଙ୍କ ନଜରକୁ ଆସିଥିଲେ। ୨୦୦୯ରେ ଉପକନିଷ୍ଠ ଏସିଆ କପ୍‌ରେ ଭାଗନେବା ସହ ୨୦୧୨ରେ ଏସିଆନ ଚାମ୍ପିଅନସିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୨ରେ ଲଣ୍ଡନ ଆଲିମ୍ପିକ ପାଇଁ କ୍ୟାମ୍ପରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରି ନଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ପ୍ରତିଯୋଗିତା; ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା (ରୌପ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍‌ (ରୌପ୍ୟ), ୨୦୧୮ ଚାମ୍ପିଅନ୍ସ ଟ୍ରଫି (ରୌପ୍ୟ), ୨୦୧୬-୧୭ ହକି ୱାର୍ଲ୍ଡ ଲିଗ୍‌ (କାଂସ୍ୟ), ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ। ୨୦୨୧ରେ ମଧ୍ୟ ଅର୍ଜୁନ ପୁରସ୍କାର ପାଇଥିଲେ। ବାପାଙ୍କ ଇଚ୍ଛା ଥିଲା, ପୁଅ ଅଲିମ୍ପିକ୍ ପାଇଁ ଯୋଗ୍ୟତା ହାସଲ କରିବ। ବାପାଙ୍କ ଏହି ଇଚ୍ଛା ପୂରଣ କରିଥିଲେ ଅମିତ। ୨୦୨୧ରେ ଅଲିମ୍ପିକ୍‌ରେ କାଂସ୍ୟ ପଦକ ଜିତି ରଚିଥିଲେ ଇତିହାସ। କିନ୍ତୁ ପୁଅର କୀର୍ତ୍ତି ଦେଖିବା ପୂର୍ବରୁ ୨୦୨୦ ଅକ୍ଟୋବର ୧୮ରେ କିଡ୍‌ନି ରୋଗରେ ଆଖି ବୁଜି ଦେଇଥିଲେ ବାପା ଗୋପାଳ। ଇତିହାସ ରଚିଥିବା ଅମିତ ଭାରତୀୟ ହକି ଦଳର ଉପଅଧିନାୟକ ଭାର ସମ୍ଭାଳି ଏଯାଏ ରକ୍ଷଣଭାଗ ଖେଳାଳି ଭାବେ ଚମତ୍କାର କ୍ରୀଡ଼ା ପ୍ରଦର୍ଶନ କରିଆସୁଛନ୍ତି।

Related posts

ଅନ୍ତର୍ଜାତୀୟ କ୍ରିକେଟ୍ରୁ ଚୁପଚାପ୍ ଅବସର ନେଇପାରନ୍ତି ଧୋନୀ: ସୁନୀଲ ଗାଭାସ୍କର

Odisha Sports Bureau

ଟି-୨୦ ପୁରୁଷ ବିଶ୍ୱକପ ୨୦୨୦ ପାଇଁ ଅକ୍ଟୋବର ୧୮ରୁ ଟିକେଟ ବିକ୍ରି

ଇଷାନ୍.. ଇଷାନ୍.. I LOVE YOU… ମଜାଳିଆ ରିପ୍ଲାଏ ଦେଇ ଚାଲିଗଲେ ଷ୍ଟାର କ୍ରିକେଟର

Odisha Sports Bureau