Cricket

ଅଣ୍ଡର-୧୯ ଏସିଆ କପ୍ ଫାଇନାଲରେ ଭାରତ-ପାକ୍ ଟକ୍କର

ଏସିଆ କପ୍ ଟ୍ରଫି ପାଇଁ ଏବେ ହେବ ହାଇଭୋଲଟେଜ୍ ଲଢ଼େଇ। ଫାଇନାଲରେ ମୁହାଁମୁହିଁ ହେବେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଅଣ୍ଡର-୧୯ ଏସିଆ କପ୍ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଆଫଗାନିସ୍ତାନକୁ ୮ ୱିକେଟ୍‌ରେ ମାତ୍ ଦେଇ ଟାଇଟଲ୍ ଲଢ଼େଇକୁ ଉନ୍ନୀତ ହୋଇଛି ଟିମ୍ ଇଣ୍ଡିଆ। ଆସନ୍ତା ନଭେମ୍ବର ୧୪ରେ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିବ ଭାରତ।

ଓମାନର ଅଲ୍ ଆମେରାତ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ସେମିଫାଇନାଲରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା। ନୋମାନ ସଲାରଜାଇ ଓ ଶାହ ଫୈସଲ ରହିମି ୫୧ ରନ୍ ଲେଖାଏଁ କରିଥିବା ବେଳେ ସୋହେଲ ଖାନ୍ ୩୬ ରନ୍ କରି ଅପରାଜିତ ରହିଥିଲେ। ଭାରତ ପକ୍ଷରୁ ଇଶାନ ସୁଦ୍ ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିଲେ। ଆର୍ୟନ ସବସାନି ୨ଟି ଏବଂ କାବ୍ୟା ପଟେଲ ଓ ଅର୍ଜୁନ ରାଜପୁତ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

୨୨୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଯୁବ ଦଳ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲା। ଓପନର ଆର୍ୟବୀର ସେହୱାଗ ଓ ଅଧିନାୟକ ଲକ୍ଷ୍ୟ ରାଜେଶ ରାୟଚନ୍ଦାନୀ ପ୍ରଥମ ୱିକେଟ୍‌ରେ ୧୧୭ ରନ୍ ଯୋଡ଼ି ବିଜୟର ମୂଳଦୁଆ ପକାଇଥିଲେ। ଆର୍ୟବୀର ୫୭ ବଲ୍‌ରୁ ୫୧ ରନ୍ କରିଥିଲେ।

ଅନ୍ୟପଟେ ଅଧିନାୟକ ଲକ୍ଷ୍ୟ ଶତକଠାରୁ ମାତ୍ର ୭ ରନ୍ ଦୂରରେ ରହିଯାଇଥିଲେ। ସେ ୯୦ ବଲ୍‌ର ସମ୍ମୁଖୀନ ହୋଇ ୯୩ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୧୩ଟି ଚୌକା ଓ ଗୋଟିଏ ଛକା ରହିଥିଲା। ଭିକେ ବିନୀତ ମଧ୍ୟ ୬୨ ବଲ୍‌ରୁ ଅପରାଜିତ ୫୭ ରନ୍ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। ଫଳରେ ଭାରତ ୩୬.୫ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ୨୩୦ ରନ୍ ସଂଗ୍ରହ କରି ୮ ୱିକେଟ୍‌ରେ ବିଜୟୀ ହୋଇଥିଲା।

ସେପଟେ ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ଏକତରଫା ଭାବେ ୯ ୱିକେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ। ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନଠାରୁ ପରାଜିତ ହୋଇଥିବା ଭାରତ ପାଇଁ ଏବେ ଫାଇନାଲରେ ପ୍ରତିଶୋଧ ନେବାର ସୁଯୋଗ ରହିଛି। ତେଣୁ ନଭେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ଟାଇଟଲ୍ ଲଢ଼େଇକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିବାରେ ଲାଗିଛି।

Related posts

8 ବର୍ଷ ପରେ ଦଳକୁ ଫେରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

Odisha Sports Bureau

ଭାରତ-ନ୍ୟୁଜିଲାଣ୍ଡର ପ୍ରଥମ ଦିନ ଖେଳ ଶେଷ

Odisha Sports Bureau

୨ ଓ୍ବିକେଟ୍ ରେ ଦ୍ୱିତୀୟ ଦିନିକିଆ ବିଜୟ ସହ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ

Odisha Sports Bureau