Cricket

ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ T-20

ପ୍ରଥମ ମ୍ୟାଚ୍‌ ବର୍ଷାଯୋଗୁଁ ଧୋଇଯିବା ପରେ ଭାରତୀୟ କ୍ରିକେଟ୍ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ ଏବେ ମଙ୍ଗଳବାରଠାରୁ ଆରମ୍ଭ ହେବ। ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଗ୍ବାବେରା ସେଣ୍ଟ ଜର୍ଜ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ ଉପରେ ମଧ୍ୟ ବର୍ଷ‌ାର ଆଶଙ୍କା ଢ଼ାଙ୍କି ରହିଛି। ତେବେ ଆସନ୍ତା ବର୍ଷର ବିଶ୍ବକପ୍‌କୁ ନଜରରେ ରଖି ଉଭୟ ଦଳ ପ୍ରସ୍ତୁତି ଓ ଦଳୀୟ ସମନ୍ବୟକୁ ‌େଢର ଆଗରୁ ସଜାଡ଼ିନେବାକୁ ଯୋଜନା କରୁଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ସଫଳତା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଯୁବ ଦଳ ଧାରା ଜାରି ରଖିବାକୁ ଆଶା ରଖିଛନ୍ତି। ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତି ଯାଇଥିବାରୁ ଏହି ଦଳର ମନୋବଳ ନିଶ୍ଚିତ ଉଚ୍ଚରେ ରହିଛି। କିନ୍ତୁ ବିଦେଶ ପରିବେଶରେ ଦଳ କିଭଳି ଖେଳୁଛି ଦେଖିବାର ଅଛି। ଦିନିକିଆ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେବା ପରେ ଦକ୍ଷିଣ ଆଫ୍ରିକା ଦଳ ଟ୍ବେଣ୍ଟି-୨୦ ଫର୍ମାଟ ବିଶ୍ବକପ୍ ପାଇଁ ମଧ୍ୟ ନିଜ ଯୋଜନାରେ ଏବେଠାରୁ ଲାଗି ପଡ଼ିଛି। ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସର୍ବଦା କଡ଼ା ପ୍ରତିଦ୍ବନ୍ଦ୍ବୀ ରହିଥିବାରୁ ଭାରତକୁ ନିଶ୍ଚିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ। ଭାରତ କିନ୍ତୁ ଗିଲ୍‌ଙ୍କୁ ବିଶ୍ରାମ ଦେଇ ଗାଏକ୍ବାଡଙ୍କୁ ଖେଳାଇବା କଥା ବିଚାର କରୁଛି। ଦୀପକ ଚହର କିମ୍ବା ମୁକେଶ କୁମାର ଓ କୁଲଦୀପ ଯାଦବ କିମ୍ବା ରବି ବିଷ୍ଣୋଇଙ୍କ ମଧ୍ୟରୁ ଜଣକୁ ଖେଳାଇବା ଯୋଜନା ରଖିଛି। ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଗାଏକ୍ବାଡ ୫୨ ବଲ୍‌ରୁ ୧୦୦ ହାସଲ କରିବା ପରେ ଆଉ ଏକ ସୁଯୋଗ ପାଇବା ଆଶା ରଖିଛନ୍ତି। ଅଭିଜ୍ଞ ଈଶାନ କିଶନଙ୍କୁ ଚ୍ୟାଲେଞ୍ଜ୍ ଦେଉଛନ୍ତି ଯୁବ ତାରକା ଜିତେଶ ଶର୍ମା। ଜି‌ତେଶ ମଧ୍ୟ ୬ ନମ୍ବର ସ୍ଥାନରେ ଜଣେ ନିର୍ଭରଯୋଗ୍ୟ ଫିନିସର୍ ହେବାର ଦାବିଦାର ହୋଇଛନ୍ତି। ଶ୍ରେୟସ ଆୟର ୫ ନମ୍ବର ସ୍ଥାନରେ ଖେଳିବା ସହ ମାର୍କୋ ‌ୟାନସେନ୍‌, ଗେରାଲ୍ଡ କୋଏତଜି, ଆନ୍ଦିଲ ଫେଲୁକ୍ବାୟୋଙ୍କ ସର୍ଟ ପିଚ୍ ବଲ୍‌କୁ ଭଲ ମୁକାବିଲା କରିପାରିବେ ବୋଲି ବିଶ୍ବାସ ରହିଛି। କାରଣ ସେ ମଧ୍ୟ ୫ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଅଭିଜ୍ଞତା ରଖିଛନ୍ତି। ପିଚ୍‌ ଓ ପରିବେଶ: ମଙ୍ଗଳବାର ଅପରାହ୍ଣରେ ବର୍ଷା ଉପରେ ପୁଣି ନଜର ରହିବ। ବର୍ଷା ହେବାର ପୂର୍ବାନୁମାନ ରହିଥିବାରୁ ଏହି ମ୍ୟାଚ୍‌ ମଧ୍ୟ ଧୋଇଯିବା ଆଶଙ୍କା ରହିଛି। ଏହି ପଡ଼ିଆରେ ପୂର୍ବରୁ ମାତ୍ର ୨ଟି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ଖେଳାଯାଇଛି। ୨୦୦୭ରେ ୱେଷ୍ଟଇଣ୍ଡିଜ୍‌ଠାରୁ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିବାବେଳେ ୨୦୨୦ରେ ଅଷ୍ଟ୍ରେଲିଆ ନିକଟରୁ ଜିତିଥିଲା ଘରୋଇ ଦଳ।

Related posts

ଭାରତର ପରାଜୟ ପରେ ଦଳ ଚୟନ ନେଇ ପ୍ରଶ୍ନ ଉଠିଛି

Odisha Sports Bureau

ନ୍ୟୁଜିଲାଣ୍ଡ କ୍ରିକେଟର ମିଚେଲ ସାଣ୍ଟନଙ୍କୁ କରୋନା

Odisha Sports Bureau

ଆଶା ଆଶଙ୍କାରେ ସିନିୟର ମହିଳା ଟି୨୦ ଟ୍ରଫି

Odisha Sports Bureau