ଇନ୍ଦୋର: ଭାରତ-ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯାଇଥିଲା। ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୩୯୯ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୪୦୦ ରନର ଆବଶ୍ୟକତା ରହିଥିଲା । ପରେ ଅଷ୍ଟ୍ରେଲିଆ ଦଳ ପଡିଆକୁ ଓହ୍ଲାଇଥିଲା। କିଛି ଓଭର ଖେଳପରେ ମ୍ୟାଚ ବର୍ଷା ଯୋଗୁଁ ବାଧାପ୍ରାପ୍ତ ରହିଥିଲା। ପରେ DLS ମେଥଡରେ ୩୩ ଓଭରରେ ୩୧୭ ରନ ଟାର୍ଗେଟ ଦିଆଯାଇଥିଲା। ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୨୮.୨ ଓଭରରେ ୨୧୭ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ ୯୯ ରନରେ ଜିତି ନେଇଛି ଭାରତ। ଏଥିସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ ରେ କବଜା କରିଛି ଭାରତ ।
ପ୍ରଥମେ ଭାରତ ବ୍ୟାଟିଂ କରି ଋତୁରାଜ ଗାଏକୱାଡ୍ ୧୨ ବଲରେ ୮ ରନ କରି ଆଉଟ ହୋଇଥିଲେ। ପରେ ଶୁଭମନ ଗିଲ୍ ଓ ଶ୍ରେୟାସ ଆୟର ଉଭୟ ଶତକୀୟ ଇଂନିସ ଖେଳିଥିଲେ। ଶୁଭମନ ଗିଲ୍ ୯୭ ବଲରେ ୧୦୪ ରନ କରି ଆଉଟ ହୋଇଥିବା ବେଳେ ଶ୍ରେୟାସ ଆୟର ୯୦ ବଲରେ ୧୦୫ ରନ କରି ଆଉଟ ହୋଇଥିଲେ। ଇଶନ କିଶନ ୧୮ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ। ପରେ କେଏଲ ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ରନ କରି ଅପରାଜିତ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ୯ ବଲରେ ୧୩ ରନ କରି ଅପରାଜିତ ରହିଥିଲେ।