New Delhi: ଟି-୨୦ ବିଶ୍ୱକପ୍ ସମାପନ ପରେ IPL 2026 ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୫ ଦିନ ପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି। ୧୯ତମ ସଂସ୍କରଣର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୮ରୁ ଏପ୍ରିଲ ୧୨ ପର୍ଯ୍ୟନ୍ତ ଖେଳାଯିବ। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ମାର୍ଚ୍ଚ ୨୮ରେ ବେଙ୍ଗାଲୁରୁରେ ଖେଳାଯିବ।
ମୁମ୍ବାଇ ଇଣ୍ଡିଆନ୍ସ ନିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ମୁମ୍ବାଇରେ ଆୟୋଜିତ ହେବ। ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମାର୍ଚ୍ଚ ୩୦ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ, ଯାହା ଗୌହାଟୀରେ ଆୟୋଜିତ ହେବ। ମାର୍ଚ୍ଚ ୩୧ରେ ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପର ମଧ୍ୟରେ ମୁକାବିଲା କରିବେ। ଏହି ମ୍ୟାଚ୍ ପଞ୍ଜାବର ଘରୋଇ ମଇଦାନ ମୁଲତାନପୁରରେ ଖେଳାଯିବ। ଏପ୍ରିଲ ୧ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ହେବ।
IPL 2026 ରେ ସମସ୍ତ ୧୦ ଦଳ ପ୍ରଥମ ପାଞ୍ଚ ଦିନ ମଧ୍ୟରେ ନିଜର ପ୍ରଥମ ମ୍ୟାଚ୍ ଖେଳିବେ। ଏହା ପରେ ଏପ୍ରିଲ ୨ରୁ ଦଳଗୁଡ଼ିକର ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ୧୫ ଦିନିଆ କାର୍ଯ୍ୟସୂଚୀରେ ଦୁଇଟି ଡବଲ୍ ହେଡର ମ୍ୟାଚ୍ ରହିଛି। ପ୍ରଥମ ଡବଲ୍ ହେଡର ଏପ୍ରିଲ ୪ରେ ଓ ଦ୍ୱିତୀୟ ଡବଲ୍ ହେଡର ଏପ୍ରିଲ ୫ରେ ଖେଳାଯିବ। ତେବେ ଏପ୍ରିଲ ଓ ମେ ମାସରେ କେରଳ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ IPL 2026 ର ଅବଶିଷ୍ଟ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପରେ ଘୋଷଣା କରାଯିବ। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ଭୋଟିଂ ସମୟକୁ ଦୃଷ୍ଟିରେ ରଖି ବିସିସିଆଇ ଅବଶିଷ୍ଟ କାର୍ଯ୍ୟସୂଚୀ ପ୍ରକାଶ କରିବ। ପ୍ରଥମ ପର୍ଯ୍ୟାୟର ୧୫ ଦିନିଆ ସୂଚୀରେ ୧୦ଟି ସହରରେ ମ୍ୟାଚ୍ ଖେଳାଯିବ। କୋଲକାତା ଓ ଗୌହାଟୀରେ ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଆୟୋଜନ କରାଯିବ।
