Swimming

ଜାତୀୟ ସନ୍ତରଣ ପ୍ରତିଯୋଗିତା : କର୍ଣ୍ଣାଟକ ହେଲା ଚମ୍ପିୟାନ୍, ଓଡ଼ିଶା ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ମନ୍ନତା

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ଆକ୍ବାଟିକ୍ କେନ୍ଦ୍ରଠାରେ ଆଜି ୪୦ ତମ ସବ୍-ଜୁନିୟର ଏବଂ ୫୦ ତମ ଜୁନିୟର ଜାତୀୟ ସନ୍ତରଣ ପ୍ରତିଯୋଗିତାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ କର୍ଣ୍ଣାଟକ ଚମ୍ପିୟାନ୍‌ ହୋଇଛି ।

ଓଡ଼ିଶାର ମନ୍ନତା ମିଶ୍ର ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକ୍ ରେ ସ୍ବର୍ଣ୍ଣ ପଦକ ଜିତି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । ପ୍ରଥମ ଥର ପାଇଁ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଓଡିଶାକୁ ସ୍ବର୍ଣ୍ଣ ପଦକ ମିଳିଛି । ଏଥିସହ ମନ୍ନତା ୨୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶାର କ୍ରୀଡାବିତ୍‌ ଶ୍ରେୟାଂଶୀ ୧୦୦ ମିଟର ବ୍ୟାକ୍ ଷ୍ଟ୍ରୋକ୍ ରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପ୍ରତିଯୋଗିତାରେ ବାଳକ ବର୍ଗରେ ମହାରାଷ୍ଟ୍ରର ରିଶଭ୍ ଅନୁପମ ଙ୍କୁ ସର୍ବଶ୍ରେଷ୍ଠ କ୍ରୀଡ଼ାବିତ୍‌ ଓ ବାଳିକା ବର୍ଗରେ ମହାରାଷ୍ଟ୍ରର ପରିସ୍ଥା ବି ଡଙ୍ଗୀ ଙ୍କୁ ସର୍ବଶ୍ରେଷ୍ଠ କ୍ରୀଡାବିତ୍‌ ଭାବେ ସମ୍ମାନିତ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଅଭିଭାଷଣରେ ଶ୍ରୀ ସୂରଜ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପ୍ରୋତ୍ସାହିତ କରିବା ସହ କ୍ରୀଡ଼ାବିତ୍‌ ମାନଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ । ସେ କହିଥିଲେ ଯେ, କ୍ରୀଡ଼ାକ୍ଷେତ୍ରରେ ବିକାଶ ଆଣିବା ତଥା କ୍ରୀଡ଼ାବିତ୍‌ ମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ସନ୍ତରଣରେ ଓଡ଼ିଶା ତଥା ଭାରତର କ୍ରୀଡାବିତ୍‌ ମାନେ ଯେପରି ଅଲମ୍ପିକ ଏବଂ ଅନ୍ତର୍ଜାତୀୟ ପ୍ରଯୋଗିତାରେ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଆମେ ସର୍ବଦା ଚେଷ୍ଟିତ । ଏଥିସହ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ସୁଦୃଢ ତଥା ଆଧୁନିକ ଭିତ୍ତିଭୂମି ସହ କ୍ରୀଡ଼ାବିତ୍‌ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ କ୍ରୀଡାବିତ୍‌ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ବୋଲି ସେ ମତ ପ୍ରକାଶ କରିଥିଲେ ।ସନ୍ତରଣର ବିକାଶ କ୍ଷେତ୍ରରେ ସମସ୍ତ ପ୍ରକାର ସାହାଯ୍ୟ ଓ ସୁବିଧାମାନ ଯୋଗାଇ ଦେଉଥିବାରୁ ସେ ଭାରତୀୟ ସନ୍ତରଣ ମହାସଂଘ ତଥା ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନର କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥର ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ସର୍ବ ଭାରତୀୟ ସ୍ତରରେ ୧୦୦୦ ରୁ ଅଧିକ  ପ୍ରତିଯୋଗୀ ଭାଗ ନେଇଥିଲେ । ଓଡିଶାରୁ ବାଳକ ବର୍ଗରେ ୨୧ ତଥା ବାଳିକା ବର୍ଗରେ ୧୮ ସହ ସର୍ବମୋଟ୍ ୩୯ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

ପ୍ରକାଶଯୋଗ୍ୟ ଯେ,  ଓଡିଶାରେ ତୃତୀୟ ଥର ପାଇଁ ଜାତୀୟ ସନ୍ତରଣ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ଓଡ଼ିଶାରେ ଆହୁରି ଅଧିକ ସନ୍ତରଣ ପ୍ରତଯୋଗିତା ଆୟୋଜନ କରାଯିବାର ଆଶା ରଖାଯାଇଛି ।ଆଜିର ଉଦ୍‌ଯାପନୀ ସମାରୋହରେ କ୍ରୀଡା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଶର୍ମା, ଭାରତୀୟ ସନ୍ତରଣ ମହାସଙ୍ଘର ମହାସଚିବ ଶ୍ରୀ ମୋନାଲ ଚୋକ୍ସି, ଓଡିଶା ରାଜ୍ୟ ସନ୍ତରଣ ସଂଗଠନର ସଦସ୍ୟ ଏବଂ କ୍ରୀଡା ଓ ଯୁବସେବା ବିଭାଗର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related posts

ଭାରତୀୟ ସନ୍ତରଣ ଦଳରେ ସୃଷ୍ଟି, ପ୍ରତ୍ୟାଶା

ଥାଇଲାଣ୍ଡରେ ଚମକିଲେ ଓଡ଼ିଆ ଝିଅ ପ୍ରତ୍ୟାଶା

Odisha Sports Bureau

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

Odisha Sports Bureau