ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତୀୟ ଗ୍ରୁପର ନେତୃତ୍ୱ ନେବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ୟାରିସ ଅଲିମ୍ପିକ୍ସ ୨୦୨୪ । ପ୍ରାୟ ୧୦୦ ବର୍ଷ ପରେ ପ୍ୟାରିସରେ ତୃତୀୟ ଥର ପାଇଁ ଆୟୋଜନ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିରେ ୨୦୬ ନ୍ୟାସନାଲ ଅଲିମ୍ପିକ୍ସ କମିଟିର ପ୍ରାୟ ୧୦ହଜାର ୫୦୦ ଆଥଲେଟ ଅଂଶଗ୍ରହଣ କରିବେ । କିନ୍ତୁ ଏଥର ଭାରତରୁ ୨୮ ଆଥଲେଟିକ୍ସଙ୍କ ଏକ ଗ୍ରୁପ ପ୍ୟାରିସ ଅଲିମ୍ପିକ୍ସରେ ନିଜ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଏହି ଦଳର ନେତୃତ୍ୱ ନେଉଛନ୍ତି ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ।
ନିକଟରେ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ପ୍ୟାରିସରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍ରୁ ଓହରି ଯାଇଥିଲେ ନୀରଜ ଚୋପ୍ରା । ନୀରଜଙ୍କ ନେତୃତ୍ୱାଧୀନ ଏହି ଆଥଲେଟ ଦଳରେ ୧୭ ପୁରୁଷ ଓ ୧୧ ମହିଳା ଖେଳାଳି ସାମିଲ । ଦୌଡ଼ରେ ପ୍ରିୟଙ୍କା ଗୋସ୍ୱାମୀ ଓ ଅକ୍ଷଦୀପ ସିଂ ଚଳିତ ବର୍ଷ ଆଥଲେଟିକ୍ସରେ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଏହା ବ୍ୟତୀତ ଏହି ଦଳରେ ହଙ୍ଗଝାଉ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳି ଅବିନାଶ ସାବଲେ ଓ ତେଜିନ୍ଦର ପାଲ ସଂ ତୁର ସାମିଲ ଅଛନ୍ତି ।
ଏଥର ଅଲିମ୍ପିକ୍ସରେ ସଭିଙ୍କ ନଜର ଚାର ଗୁଣା ୪୦୦ ମିଟର ରିଲେ ଦଳ ଉପରେ ରହିବ । ଏହି ଦଳ ହେବାକୁ ଥିବା ବିଶ୍ୱ ଆଥଲେଟିକ୍ସ ରିଲ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଦଳରେ ମହମ୍ମଦ ଅନସ, ମହମ୍ମଦ ଅଜମଲ, ଅମୋଜ ଜ୍ୟାକବ ଓ ରାଜେଶ ରମେଶ ସାମିଲ । କେନ୍ଦ୍ର କ୍ରେୀଡା ମନ୍ତ୍ରୀ ମନସୁଖ ମଣ୍ଡଭିୟ ଭାରତୀୟ ଅଲିମ୍ପିକ୍ସ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।