ଟିମ ଇଣ୍ଡିଆର କ୍ୟାପ୍ଟେନ ରୋହିତ ଶର୍ମା ହେଲେ ଦଣ୍ଡିତ । ଦ୍ରୁତ ଗତିରେ ଗାଡ଼ି ଚଲାଇ ଫାଇନ କାଟିଲେ ହିଟ୍ ମ୍ୟାନ । ମୁମ୍ବାଇ – ପୁନେ ଏକ୍ସପ୍ରେସ ହାଇୱେରେ ନିର୍ଦ୍ଧାରିତ ସ୍ପିଡରୁ ଅଧିକ ସ୍ପିଡ ଗାଡ଼ି ଚଲାଇ କଟିଛି ଚାଲାଣ । କେବଳ ଗୋଟିଏ ଯାଗାରେ ନୁହେଁ, ଭିନ୍ନ ଭିନ୍ନ ଜାଗାରେ ରୋହିତ ଶର୍ମାଙ୍କର ୩ଟି ଚାଲାଣ କଟିଛି ।
ତେବେ ଗତ ୧୪ ତାରିଖରେ ପକିସ୍ତାନକୁ ପରାସ୍ତ କରିଥିଲା ଭାରତ । ବାଂଲାଦେଶ ବିପକ୍ଷରେ ମ୍ୟାଚ୍ ପୂର୍ବରୁ ଦଳକୁ ୫ଦିନ ବିଶ୍ରମ ସମୟ ମିଳିଥିଲା । ଅଧିନାୟକ ରୋହିତ୍ ଶର୍ମା ଟିମ୍ ଇଣ୍ଡିଆ ସହିତ ନଯାଇ । ମୁମ୍ବାଇ ବାସଭବନରୁ କାରରେ ଯାଇଥିଲେ ଏବଂ ଦଳରେ ଯୋଗ ଦେଇଥିଲେ । ପୁନେ ଯିବା ସମୟରେ ମୁମ୍ବାଇ-ପୁନେ ଏକ୍ସପ୍ରେସ ହାଇଓ୍ବେରେ ଦ୍ରୁତଗତିରେ ନିଜ ଲାମ୍ବୋଗିନି କାର୍ ଚଳାଇଥିଲେ । ଏହି କାର୍ ରାଜପଥରେ ଘଣ୍ଟାପ୍ରତି ୨୦୦ କିମି.ରୁ ୨୧୫ କିମି. ବେଗରେ ଚାଲିଥିଲା । ତେବେ ମହାରାଷ୍ଟ୍ର ଟ୍ରାଫିକ୍ ପକ୍ଷରୁ ତାଙ୍କ ନାଁରେ ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଚାଲାଣ କଟିଛି ।
ରୋହିତ୍ ଶର୍ମାଙ୍କ ବେପରୁଆ ଗାଡ଼ି ଚାଳନାକୁ ଟ୍ରାଫିକ ପକ୍ଷରୁ ନିନ୍ଦା କରାଯାଇଛି। ଜଣେ ଅଧିକାରୀ କହିଛନ୍ତି, ବିଶ୍ବକପ ଭଳି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣମେଣ୍ଟ ଚାଲିଥିବା ସମୟରେ ଅଧିନାୟକ ଟିମ୍ ବସରେ ନଯାଇ କାର୍ ଯିବା ଚିନ୍ତାଜନକ ବିଷୟ ।