ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ମୁଖ୍ୟମନ୍ତ୍ରୀ କହିଥିଲେ , ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ଭରା ଥିଲା । ହଜାର ହଜାର ଦର୍ଶକ ଏହାକୁ ଦେଖି ଆନନ୍ଦିତ ହୋଇଛନ୍ତି । ଭାରତୀୟ ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ଉନ୍ନତ ମାନର ଥିଲା । ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୂରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ ।

ଆଉ ଏହା ମଧ୍ୟ କହିଥିଲେ ଆଗକୁ ଷ୍ଟାଡିୟମରେ ଆହୁରି ମ୍ୟାଚ୍ ହେବ । ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର ହେବା ସହିତ ସିଟ ସଂଖ୍ୟା ବଢିବ । ଏବେ ୪୨ ହଜାର ଦର୍ଶକ ବସିବାର କ୍ଷମତା ଥିବାବେଳେ ସେଥିରେ ଆଉ ୧୮ ହଜାର ସିଟ ବଢାଯାଇ ପ୍ରାୟ ୬୦ ହଜାର ଦର୍ଶକ ବସିବାର କ୍ଷମତା ରହିବା ଭଳି କରାଯିବ । ନୂଆ ସରକାର କ୍ଷମତାକୁ ଆସିବା ପରେ ବାରବାଟୀରେ ଦୁଇଟି ମ୍ୟାଚ ଆୟୋଜନ କରିଛି ଏବଂ ସଫଳତାର ସହ ମ୍ୟାଚ ସମ୍ପନ୍ନ ହୋଇଛି । ଏହାକୁ ସାରା ବିଶ୍ୱର ଲୋକ ଦେଖିଲେ । ଆଗକୁ ଷ୍ଟାଡିୟମକୁ ଆହୁରି କିପରି ପ୍ରଶଂସା ମିଳିବ ସରକାର ତାହା ଉପରେ ପଦକ୍ଷେପ ନେବେ । ଆଗାମୀ ଦିନରେ ବାରବାଟୀ ଷ୍ଟାଡିୟମର ସମ୍ପ୍ରସାରଣ ପାଇଁ ସରକାର ଯୋଜନା କରିଛନ୍ତି ଏବଂ ଖୁବଶିଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
