Uncategorized

ବିଚିତ୍ର ଖେଳ ଚାପୁଡା ଲଢ଼େଇ

ପୃଥିବୀର ବିଭିନ୍ନ ଅଞ୍ଚଳରେ ସୌଖୀନ ହେଉ ବା ଦୁଃସାହସିକ ହେଉ, ଏମିତି ଅନେକ କ୍ରୀଡ଼ା ରହିଛି, ଯାହା ଲୋକଲୋଚନକୁ ଆସିପାରିନାହିଁ। ପୁଣି ଦିନକୁ ଦିନ ନୂଆ ନୂଆ କ୍ରୀଡ଼ା ମଧ୍ୟ ସୃଷ୍ଟି ହେଉଛି। ଏବେ ପୂର୍ବ ୟୁରୋପ ପରେ ଆମେରିକାରେ ଖୁବ୍‌ ଲୋକପ୍ରିୟ ହେବାରେ ଲାଗିଥିବା ‘ଚାପୁଡ଼ା ଲଢ଼େଇ’ ବା ‘ସ୍ଲାପ୍‌ ଫାଇଟିଂ’ ନାମକ ଏକ ବିଚିତ୍ର କ୍ରୀଡ଼ା ଖୁବ୍‌ ଚର୍ଚ୍ଚାରେ ରହିଛି। ଖେଳର ନାମରୁ ଏଥିରେ ଚାପୁଡ଼ା ମାରିବା ହିଁ ମୁଖ୍ୟ କାର୍ଯ୍ୟ ବୋଲି ସହଜରେ ଅନୁମେୟ। କୁସ୍ତି ପରି ଏଥିରେ ଦୁଇ ଜଣ ପ୍ରତିଯୋଗୀ ଭାଗ ନେଇଥା’ନ୍ତି।

ସେମାନଙ୍କୁ ମୋଟ ୩ରୁ ୫ ପାଳି ସୁଯୋଗ ମିଳିଥାଏ। ପ୍ରତିଯୋଗିତା ସ୍ଥାନରେ ଉଭୟ ନିଜ ନିଜ ହାତକୁ ପଛ କରି ମୁହାଁମୁହିଁ ଠିଆ ହୁଅନ୍ତି। ବିଭିନ୍ନ ପାଳିରେ ସେମାନେ ପରସ୍ପରର ମୁହଁ କିମ୍ବା ଦେହର ଉପରିଭାଗକୁ ମୁକ୍ତ ହସ୍ତରେ ଚାପୁଡ଼ା ମାରିବାର ନିୟମ ରହିଛି। ଜଣଙ୍କର ଚାପୁଡ଼ା ମାରିବା ପାଳି ଆସିଲେ ଅନ୍ୟ ପ୍ରତିଯୋଗୀଙ୍କୁ ଚୁପ୍‌ଚାପ୍ ଅସହାୟ ଭାବେ ଛିଡ଼ା ହୋଇ ଶକ୍ତ ଚାପୁଡ଼ା ସହିବାକୁ ପଡ଼ିଥାଏ। ଚାପୁଡ଼ା ଖାଉଥିବା ପ୍ରତିଯୋଗୀମାନେ ବେଳେ ବେଳେ ନିର୍ବିକାର ରହୁଥିବା ବେଳେ ସମୟ ସମୟରେ ଭୀଷଣ ଆଘାତପ୍ରାପ୍ତ ହୋଇ ତଳେ ଖସି ପଡ଼ିଥା’ନ୍ତି। ତେବେ ଚାପୁଡ଼ା ଖାଇବାର ୬୦ ସେକେଣ୍ଡ ପରେ ପ୍ରତିଯୋଗୀ ଜଣକ ସ୍ବାଭାବିକ ଅବସ୍ଥାକୁ ଫେରି ଆସି ପ୍ରତିପକ୍ଷକୁ ଅନୁରୂପ ଚାପୁଡ଼ା ମାରିବାର ପାଳି ଆସିଥାଏ। ଚାପୁଡ଼ା ମାରିବା ଏବଂ ତାହାକୁ ସହିବାର ଶୈଳୀକୁ ବିଚାର କରି ପ୍ରତିଯୋଗୀମାନେ ୧୦ ପଏଣ୍ଟ୍‌ ଯାଏ ହାସଲ କରିପାରିବେ। ଏହି କ୍ରୀଡ଼ାକୁ ଦୁଇ ଜଣ ରେଫରି ଓ ତିନି ଜଣ ବିଚାରକ ପରିଚାଳନା କରିଥା’ନ୍ତି। ଏଥିରେ କ୍ଷତାକ୍ତ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଘଟଣାସ୍ଥଳରେ ଆମ୍ବୁଲାନ୍‌ସ ସହ ଏକ ଡାକ୍ତରୀ ଦଳ ମଧ୍ୟ ମହଜୁଦ ଥାଏ। ଏହି ବିଚିତ୍ର ଖେଳ ଯେତିକି ଲୋକପ୍ରିୟ ହେଉଛି ନିରାପତ୍ତା ଦୃଷ୍ଟିରୁ ସେତିକି ସମାଲୋଚିତ ମଧ୍ୟ ହେଉଛି।

Related posts

ଆସନ୍ତା ଶିକ୍ଷା ବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

Odisha Sports Bureau

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍ ଧୋନୀଙ୍କୁ ୱିକେଟ୍ କିପିଂ କରିବାକୁ କୁହାଯାଉ

Odisha Sports Bureau

ଇଣ୍ଡିଆନ୍‌ ଗ୍ରାଁ ପ୍ରି ୫ ରେ କିଶୋର, ଶ୍ରାବଣୀ ପ୍ରଥମ

Odisha Sports Bureau