ୱେଲିଂଟନ: କ୍ରିକେଟ ଜଗତରୁ ବିଦାୟ ନେଇଛନ୍ତି ନ୍ୟୁଜିଲାଣ୍ଡର ଭେଟେରାନ ଖେଳାଳୀ ରସ ଟେଲର । ନିଜ ଟ୍ୱିଟର ହାଣ୍ଡଲରେ ସେ ଏ ନେଇ ସୂଚନା ଦେଇଛନ୍ତି । ଘରୋଇ ପରିବେଶରେ ବାଂଲାଦେଶ ବିପକ୍ଷରେ ଟେଷ୍ଟରୁ ଏବଂ ଅଷ୍ଟ୍ରେଲିଆ (ବିଦେଶ) ଓ ନେଦରଲାଣ୍ଡ୍ସ (ଘରୋଇ) ବିପକ୍ଷରେ ଦିନିକିଆ ସିରିଜ ଖେଳି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବେ ବୋଲି ଟେଲର ସ୍ପଷ୍ଟ କରିଛନ୍ତି । ତାଙ୍କ ଅବସର ଘୋଷଣା ପରେ ଟ୍ୱିଟରରେ ପ୍ରଶଂସା ଓ ଶୁଭେଚ୍ଛା ବାର୍ତ୍ତାର ସୂଅ ଛୁଟୁଛି । ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରଙ୍କ ସମେତ ଅନେକ କ୍ରିକେଟପ୍ରେମୀ ଟ୍ୱିଟ୍ କରି ତାଙ୍କୁ ଭୂୟସୀ ପ୍ରଶଂସା କରିଥିବାବେଳେ ନୂଆ ଇନିଂସ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।
ବିଶ୍ୱର ପ୍ରଥମ ଖେଳାଳି ଭାବେ ୩ଟି ଯାକ ଫର୍ମରେ ୧୦୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି ଟେଲର । ୨୦୦୬ରେ ପଦାର୍ପଣ କରିବା ପରଠୁ ସେ ନ୍ୟୁଜିଲାଣ୍ଡ ଦଳର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି । ଇତିମଧ୍ୟରେ ସେ ୪୪୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୧୮.୦୭୪ରନ୍ ସଂଗ୍ରହ କରି ସାରିଛନ୍ତି । ନ୍ୟୁଜିଲାଣ୍ଡ ଖେଳାଳି ଭାବେ ତାଙ୍କ ନାମରେ ସର୍ବାଧିକ ମ୍ୟାଚ୍ ଓ ରନ୍ ରେକର୍ଡ଼ ରହିଛି । ଟେଷ୍ଟରେ ୧୧୦ଟି ମ୍ୟାଚ୍ ଖେଳି ୭୫୮୪ ରନ୍ (୧୯ଟି ଶତକ), ଦିନିକିଆରେ ୨୩୩ ମ୍ୟାଚ୍ରୁ ୮,୫୮୧ (୨୧ଶତକ) ଏବଂ ଟି-ଟ୍ୱେଣ୍ଟିରେ ୧୦୨ ମ୍ୟାଚ୍ରୁ ୧୯୦୯ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ ଓ ଦିନିକିଆରେ ନ୍ୟୁଜିଲାଣ୍ଡ ଖେଳାଳି ଭାବେ ସର୍ବାଧିକ ରନ୍ ଓ ଉଭୟ ଫର୍ମାଟରେ ସର୍ବାଧିକ ଶତକ (୪୦ଟି) ରେକର୍ଡ଼ ତାଙ୍କ ନାମରେ ରହିଛି । ୨୦୧୫ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ସେ ଭ୍ରମଣକାରୀ ଖେଳାଳି ଭାବେ ସର୍ବାଧିକ ୨୯୦ରନ୍ ରେକର୍ଡ଼ ସ୍ଥାପନ କରିଥିଲେ ।